ନାଗରିକତା ସଂଶୋଧନ ବିଲକୁ ବାସ୍ତବରେ ପରିଣତ କରାଯିବା ଐତିହାସିକ ପଦକ୍ଷେପ: ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଢ ନେତୃତ୍ୱ ଫଳରେ ପୁଣି ଏକ ଐତିହାସିକ ଭୁଲକୁ ଠିକ୍ କରାଯାଇଛି । ନାଗରିକତା ସଂଶୋଧନ ବିଲ୍ ୨୦୧୯କୁ ଏକ ବାସ୍ତବିକତାରେ ପରିଣତ କରାଯିବା ଏକ ଐତିହାସିକ ପଦକ୍ଷେପ । ଏହା ଦ୍ୱାରା ନିର୍ଯାତନାର ଶିକାର ହେଉଥିବା ଧାର୍ମିକ ସଂଖ୍ୟାଲଘୁ ମାନଙ୍କ ପାଇଁ ଭାରତର ମାର୍ଗ ପ୍ରଶସ୍ତ ହୋଇଛି ବୋଲି ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ଗୃହୀତ ହେବା ପରେ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ଗୃହୀତ ହୋଇଥିବାରୁ ଦେଶର ସମସ୍ତ ନାଗରିକଙ୍କୁ ଅଭିନନ୍ଦନ । ରାଜ୍ୟସଭା ଓ ଲୋକସଭାରେ ଏହି ବିଲ୍ ପାରିତ ହେବା ଭାରତର ଦୀର୍ଘ ପରମ୍ପରା ଏବଂ ଏକ ମଜବୁତ୍ ଗଣତନ୍ତ୍ରକୁ ଦର୍ଶାଉଛି ।

ଲୋକସଭା ଓ ରାଜ୍ୟସଭା ଉଭୟ ଗୃହରେ ହୋଇଥିବା ବିତର୍କ ରାଜନୈତିକ ଦଳ ମାନଙ୍କର କପଟତାକୁ ଦର୍ଶାଉଛି । ଯେଉଁମାନଙ୍କର ଆନୁଗତ୍ୟ ଦେଶ ପାଇଁ ନୁହେଁ ବର ବଂଶ ପାଇଁ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦେଶ ଭିତରେ ଓ ବାହାରେ ଥିବା ସଂଖ୍ୟାଲଘୁଙ୍କ ପାଇଁ କାମ କରୁଛନ୍ତି ବୋଲି ଏହା ପ୍ରମାଣିତ ।

ଉଭୟ ଗୃହରେ ଏହି ସିଏବି ବିଲକୁ ସମର୍ଥନ ଦେଇଥିବା ସମସ୍ତ ସାଂସଦମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର । ଏହାବ୍ୟତିତ ବିଲ୍ ସମ୍ପର୍କରେ ଯେଉଁ ଭ୍ରାନ୍ତ ଧାରଣା ଅପପ୍ରଚାର କରାଯାଉଥିଲା ତାହାର ମଧ୍ୟ ଅନ୍ତ ଘଟିଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି

Spread the love