ଆଇନବିହୀନ ଓଡ଼ିଶା ଏକ ବାସ୍ତବତା କହିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜବାବ ଦେଲା ବିଜେଡି

ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ଦୁଇ ମାସ ପରେ ପୁଣି ଝାରସୁଗୁଡ଼ାରେ ନାବାଳକ ସମର୍ଥଙ୍କ ହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ନିଜର ଟୁଇଟରରେ ଲେଖିଛନ୍ତି, ଆଇନ ବିହୀନ ଓଡ଼ିଶା ଏକ ବାସ୍ତବତା। ଦୀର୍ଘ ସମୟ ଧରି କ୍ଷମତାରେ ଥିବା ଲୋକମାନେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଥିବା ତ୍ରୁଟିକୁ ଚିହ୍ନନ୍ତି। ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୨ ମାସ ନ ପୁରୁଣୁ ନାବାଳକ ସମର୍ଥର ହତ୍ୟା କରାଯାଇଛି, ସରକାର ଦାବି କରୁଥିବା ଆଇନର ଶାସନକୁ ପଦାରେ ପକାଇଛି। ଏଣେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟୁଇଟର ଜବାବ ରଖିଛି ବିଜେଡି। ଦଳର ଉପ ସଭାପତି ଦେବୀ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳା ନେଇ ପୂର୍ବରୁ କହି ସାରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ନିଜ କଥାକୁ ନିଜେ ଦର୍ପଣରେ ଦେଖିବାର ଆବଶ୍ୟକତା ରହିଛି। ଅନ୍ୟ ବିଜେପି ଶାସିତ ରାଜ୍ୟରେ ଆଇନଶୃଙ୍ଖଳା କଣ ଅଛି? ହାତରସ ହେଉ କି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ କୃଷକଙ୍କୁ ଗଣହତ୍ୟା କରିବା ହେଉ ସେଗୁଡ଼ିକ କେଉଁ ଶୃଙ୍ଖଳା? କେଉଁ ଆଇନରେ ଲେଖା ହୋଇଛି? ତେଣୁ କେବଳ କହିବା ଛଳରେ କହିଲେ ହେବ ନାହିଁ। ତାକୁ କେମିତି ସୁଧାରି ହେବ ସେ ନେଇ ଗଠନମୂଳକ ପରାମର୍ଶ ଦେଲେ ଭଲ ହେବ।

ଏଣେ ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ନିଜର ପ୍ରତିକ୍ରିୟାରେ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ୨୯ ତାରିଖ ହେଉଛି ଝାରସୁଗୁଡ଼ା ପାଇଁ କଳା ଦିବସ। ଜାନୁଆରୀ ୨୯ରେ ନବ ଦାସଙ୍କୁ ହତ୍ୟା ଏବଂ ମାର୍ଚ୍ଚ ୨୯ରେ ଗୋଟେ ଛୋଟ ପିଲାଟିକୁ ହତ୍ୟା କରାଯାଇଛି। ଓଡ଼ିଶାରେ ଏମିତି ଘଟଣା କେବେ ଘଟୁ ନଥିଲା। ବିଜେଡି ଶାସନରେ ହତ୍ୟା, ଅପହରଣ, ଦୁଷ୍କର୍ମ ବଢ଼ି ଚାଲିଛି, ଯାହା ସୂଚାଉଛି ୟୁପିଠାରୁ ବି ପରିସ୍ଥିତି ଖରାପ। ଆଗକୁ ଝାରସୁଗୁଡ଼ା ଉପନିର୍ବାଚନରେ ଭୋଟ ଦେବାକୁ ବି ଲୋକେ ଡରିବେ। ରାଜ୍ୟ ସରକାର ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏବଂ ସମର୍ଥ ଅଗ୍ରୱାଲଙ୍କ ହତ୍ୟାକାରୀକୁ ସାମ୍ନାକୁ ଆଣନ୍ତୁ, ନହେଲେ ଝାରସୁଗୁଡ଼ାରେ ଭୋଟ ଦେବାକୁ ଲୋକେ ଡରିବେ।

Spread the love