ପ୍ରଧାନମନ୍ତ୍ରୀଙ୍କ ‘ଜନତା କର୍ଫ୍ୟୁ’ ଆହ୍ୱାନକୁ ସଫଳ କରନ୍ତୁ ଦେଶବାସୀ: ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଭାରତବର୍ଷର ଜନତା ମାର୍ଚ୍ଚ ୨୨ ତାରିଖ ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’ ପାଳନ କରିବା ସହ ଏହାକୁ ସଫଳ କରିବା ପାଇଁ ସାମାଜିକ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଆଜିର ଆହ୍ୱାନମୂଳକ ସ୍ଥିତିରେ ଦେଶକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ ଏକ ସଠିକ୍ ଆଦର୍ଶ ନେତୃତ୍ୱର ଅନନ୍ୟ ଉଦାହରଣ । ତାଙ୍କ କହିବା ଅନୁଯାୟୀ, ଦେଶରେ କରୋନା ଭାଇରସ୍ ବିରୋଧୀ ଲଢେଇରେ ସାଧାରଣ ଜନତାଙ୍କ ଅଂଶଗ୍ରହଣ ନିତାନ୍ତ ଆବଶ୍ୟକ । ଏକାଠି ହୋଇ ଆମେ ଏହି ଯୁଦ୍ଧ ଜିତିପାରିବା !

ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଭାରତବର୍ଷର ଜନତାଙ୍କୁ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ମୋର ଅନୁରୋଧ । ଆସନ୍ତୁ ମିଳିମିଶି ପ୍ରଧାନମନ୍ତ୍ରୀଙ୍କ ‘ଜନତା କର୍ଫ୍ୟୁ’କୁ ସଫଳ କରିବା ଏବଂ କୋଭିଡ୍ ୧୯ ବା କରୋନା ଭାଇରସର ମୁକାବିଲା କରିବାରେ ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିବା ।

ପ୍ରଧାନମନ୍ତ୍ରୀ ସଠିକ୍ ଭାବରେ କହିଛନ୍ତି ଯେ, କରୋନାର ମୁକାବିଲା କରିବା ପାଇଁ ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଇ ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ କାର‌୍ୟ୍ୟ କରୁଛନ୍ତି, ସେମାନେ ପ୍ରଂଶସା ପାଇବାକୁ ଯୋଗ୍ୟ । ଆସନ୍ତା ରବିବାର ସନ୍ଧ୍ୟା ୫ଟାରେ ଅନ୍ତତଃ ୫ ମିନିଟ୍ ଯାଏ ଏହି ଲୋକଙ୍କୁ ତାଳି, ବା ଘଣ୍ଟି ବଜାଇ କୃତଜ୍ଞତା ଜଣାଇବା ପାଇଁ ମୁଁ ଦେଶବାସୀଙ୍କୁ ନିବେଦନ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

Spread the love