ପର୍ଜଙ୍ଗ କୁଆଳୋ ଅଷ୍ଟଶମ୍ଭୁ ଶିବ ମନ୍ଦିରର ହେବ ଉନ୍ନତି କାମ, ବିକାଶ ନେଇ ପ୍ରତିଶ୍ରୁତି ଦେଲେ 5T ସଚିବ

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଗସ୍ତ କରି କୁଆଳୋ ଅଷ୍ଟଶମ୍ଭୁ ଶିବ ମନ୍ଦିରରେ ଦର୍ଶନ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ଦର୍ଶନ କରିବା ପରେ ମନ୍ଦିରର ଉନ୍ନତି ନେଇ ମନ୍ଦିର କମିଟି ସହିତ ଆଲୋଚନା କରିଛନ୍ତି। ମନ୍ଦିର ବେଢା ପରିକ୍ରମା ବେଳେ ମନ୍ଦିର ସଂପର୍କରେ ପଚାରି ବୁଝିଛନ୍ତି। ବହୁ ପୁରାତନ ମନ୍ଦିର ହୋଇଥିବାରୁ ଏହାର ଉନ୍ନତି ଜରୁରୀ ବୋଲି କହିଛନ୍ତି 5T ସଚିବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସ୍ଥାୟୀ ରାସ୍ତା ନିର୍ମାଣ ସହ ମନ୍ଦିରର ବିକାଶ ନେଇ ପ୍ରତିଶ୍ରୁତି ଦେଇଛନ୍ତି।

ଦୁଇଦିନିଆ ଢେଙ୍କାନାଳ ଗସ୍ତରେ ଯାଇ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ସମୀକ୍ଷା କରିବା ସହ ସ୍ଥାନୀୟ ସମସ୍ୟା ନେଇ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି। ସକାଳେ ଢେଙ୍କାନାଳରେ ବଳରାମ ମନ୍ଦିର ଓ ଯାଉଁଳିପୋଖରୀ ମଠରେ ଦର୍ଶନ କରିବା ସହ ମନ୍ଦିର ଓ ପୀଠର ଉନ୍ନତି ନେଇ ଆଲୋଚନା କରିଛନ୍ତି। ପରେ ଢେଙ୍କାନାଳ ଷ୍ଟାଡିୟମରେ ବିଭିନ୍ନ କ୍ରୀଡ଼ାବିତଙ୍କ ସହ କ୍ରୀଡ଼ାର ଉନ୍ନତି ଓ ସେମାନଙ୍କ ସମସ୍ୟା ନେଇ ପଚାରିବୁଝିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ମିଲେଟ କାଫେ ପରିଦର୍ଶନ କରି ଏସଏଚଜି ମହିଳାମାନଙ୍କ ଆଲୋଚନା କରିଛନ୍ତି। ପରେ ଢେଙ୍କାନାଳ ଡାକ୍ତରଖାନା ଗସ୍ତ କରି ବିଭିନ୍ନ ୱାର୍ଡରେ ରୋଗୀ ଓ ସଂପର୍କୀୟଙ୍କ ସହ ଆଲୋଚନା କରିଛନ୍ତି। ଖୁବ ଶୀଘ୍ର ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆମ ହସ୍‌ପିଟାଲ କାର୍ଯ୍ୟକ୍ରମରେ ସାମିଲ କରାଯିବ ବୋଲି କହିଛନ୍ତି।

ସେଠାରୁ ସଦେଇବେରେଣୀ ଯାଇ ଶିଳ୍ପଗ୍ରାମ ପରିଦର୍ଶନ ସହ ଏସଏଚଜି ମହିଳା ଓ ଡୋକ୍ରା କାରିଗରଙ୍କ ସହ ଆଲୋଚନା କରିଥିଲେ। ପରେ କାମାକ୍ଷାନଗର ଗସ୍ତ କରି କାନପୁରା ଗ୍ରାମୀଣ ପାର୍କ ବୁଲି ଦେଖିବା ସହ ସାରଙ୍ଗଧର ଷ୍ଟାଡିୟମରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ପର୍ଜଙ୍ଗ ବ୍ଲକ ଗସ୍ତ କରି ପର୍ଜଙ୍ଗ ଷ୍ଟାଡିୟମରେ ଲୋକଙ୍କ ସହ ଆଲୋଚନା କରିଥିଲେ ଭିକେ ପାଣ୍ଡିଆନ। ପର୍ଜଙ୍ଗ ପରେ ହିନ୍ଦୋଳ ବ୍ଲକ ଗସ୍ତ କରି ଖଜୁରିଆକଟା ଷ୍ଟାଡିୟମରେ 5T ଉପକ୍ରମରେ ରୂପାନ୍ତରିତ ହୋଇଥିବା ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ପରେ ସାପୁଆ ଡ୍ୟାମ ଗସ୍ତ କରି ଜଳସେଚନ ପ୍ରକଳ୍ପ ଓ ଡ୍ୟାମର ବିକାଶ ନେଇ ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି।

Spread the love