ଏସ୍‌ସିବିରେ ଦୟନୀୟ ସ୍ଥିତି: ପାଣି ଭିତରେ ଶବ ବ୍ୟବଚ୍ଛେଦ

କଟକ: ଟିକିଏ ଅଧିକ ବର୍ଷା ହେଲେ ଏସ୍‌ସିବି ପରିସରରେ ଥିବା ଶବ ବ୍ୟବଚ୍ଛେଦ ଗୃହରେ ଜମିଯାଉଛି ଆଣ୍ଠୁଏ ପାଣି। ଏମିତି ଅବସ୍ଥା ହେଉଛି ଯେ, ଅନେକ ସମୟରେ ଅଧାରୁ ବି ବନ୍ଦ ହୋଇଯାଉଛି ଶବ ବ୍ୟବଚ୍ଛେଦ। ଆଜି କଟକ‌ରେ କିଛି ସମୟ ଜୋର୍‌ ବର୍ଷା ହୋଇଯିବାରୁ ଏସ୍‌ସିବିର ଶବ ବ୍ୟବଚ୍ଛେଦ ଗୃହ ରାସ୍ତାରୁ ଆରମ୍ଭ କରି ଡାକ୍ତରଙ୍କ ଡ୍ୟୁଟି ରୁମ୍‌ରେ ବି ପାଣି ପଶି ଯାଇଥିଲା। ସେହି ପାଣି ଭିତରେ ଶବ ବ୍ୟବଚ୍ଛେଦ କରିବାକୁ ଡାକ୍ତର, କର୍ମଚାରୀ ଉଦ୍ୟମ କରିଥିବାବେଳେ ଚୌଦ୍ବାର ଅଞ୍ଚଳର ଗୋଟିଏ ଶବ କିନ୍ତୁ ବ୍ୟବଚ୍ଛେଦ ହୋଇ ନ ପାରି ରହିଗଲା। ପ୍ରତିଥର ବର୍ଷା ହେଲେ ଶବବ୍ୟବଚ୍ଛେଦ ଗୃହରେ ଏଭଳି ସ୍ଥିତି ଦେଖିବାକୁ ମିଳୁଥିବା ବେଳେ ଏହାର ସ୍ଥାୟୀ ସମାଧାନ କରା ନଯିବା ଅସନ୍ତୋଷର କାରଣ ହୋଇଛି। ଅନ୍ୟପଟେ ବିଶ୍ବସ୍ତରୀୟ ଏସ୍‌ସିବି ନିର୍ମାଣ କାର୍ଯ୍ୟ ଯୋଗୁଁ ଜଳ ନିଷ୍କାସନ ହୋଇ ନ ପାରି ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏସ୍‌ସିବିରେ ହାରାହାରି ଭାବେ ପ୍ରତିଦିନ ୧୫ରୁ ଅଧିକ ଶବବ୍ୟବଚ୍ଛେଦ ହୋଇଥାଏ। ହେଲେ ଜଳ ନିଷ୍କାସନ ସମସ୍ୟା ଯୋଗୁଁ ଏଭଳି ଦୟନୀୟ ସ୍ଥିତିର ସମ୍ମୁଖୀନ ହେଉଛନ୍ତି ବ୍ୟବଚ୍ଛେଦରେ ନିୟୋଜିତ ଥିବା ଡାକ୍ତର, କର୍ମଚାରୀ ଓ ମୃତକଙ୍କ ସଂପର୍କୀୟ। ଏସ୍‌ସିବିରେ ଶବ ବ୍ୟବଚ୍ଛେଦ ପାଇଁ ଆସୁଥିବା ମୃତଦେହଗୁଡିକୁ ପଞ୍ଚନାମା କାର୍ଯ୍ୟ ଗଛତଳେ କରା ଯାଉଥିବାରୁ ହଠାତ ବର୍ଷା ହେଲେ ସେଠାରେ ବି ଶବ ପାଣିରେ ଭିଜୁଛି। ବ୍ୟବଚ୍ଛେଦ ପାଇଁ ଗୃହକୁ ନେବା ପୂର୍ବରୁ ଲାଇନରେ ଥିବା ଶବଗୁଡିକ ପାଇଁ ଅପେକ୍ଷା ଗୃହ ବ୍ୟବସ୍ଥା ନଥିବାରୁ ଏଭଳି ଅବ୍ୟବସ୍ଥା ସୃଷ୍ଟି ହେଉଛି। ପ୍ରିୟଜନଙ୍କ ମୃତ୍ୟୁରେ ମ୍ରିୟମାଣ ସଂପର୍କୀୟ ବ୍ୟବଚ୍ଛେଦ ପାଇଁ ଏଭଳି ସ୍ଥିତିର ସମ୍ମୁଖୀନ ହେବା ଘଟଣାକୁ ନେଇ ଅନେକ ସମୟରେ ପ୍ରତିକ୍ରିୟା ସୃଷ୍ଟି ହେଉଛି। ଏ ସଂପର୍କରେ ଏସ୍‌ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ କହିଛନ୍ତି ଯେ ଆଜି ପାଣି ଜମି ଯାଇଥିଲେ ବି ତାରି ଭିତରେ ସାଢେ ୪ଟା ପର୍ଯ୍ୟନ୍ତ ବ୍ୟବଚ୍ଛେଦ ହୋଇଥିଲା। କେବଳ ଚୌଦ୍ବାରର ଗୋଟିଏ ମୃତଦେହ ରହିଯାଇଛି। ତାହା ଆସନ୍ତାକାଲି କରାଯିବ ବୋଲି ଡକ୍ଟର ରାଉତ କହିଛନ୍ତି।

Spread the love