ଡେଙ୍ଗୁ ଅବସ୍ଥା ଅସମ୍ଭାଳ, ସରକାର ନିଘୋଡ ନିଦରେ : ଦିଲ୍ଲୀପ ମଲ୍ଲିକ

ଭୁବନେଶ୍ୱର, ତା.୨୪/୦୭: ବିଏମସି ଅବହେଳାରୁ ସ୍ମାର୍ଟ ସିଟି ଭୁବନେଶ୍ୱର ଏବେ ଡେଙ୍ଗୁର ହଟ୍‌ସ୍ପଟ ପାଲଟିଛି । ବିଏମସି ରାଜଧାନୀର ବିଭିନ୍ନ ସ୍ଥାନରେ ଆବର୍ଜନା ଏବଂ ଅପରିଷ୍କାର ପାଣି ଜମାରହୁଥିବା ବେଳେ ଡେଙ୍ଗୁରୋଗର ବାହକ ଏଡିସ ମଶାର ବଂଶ ବିସ୍ତାର ପାଇଁ ସୁବିଧା ହେଉଛି । କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୧୩୦ରୁ ଅଧିକ ନମୁନା ପରୀକ୍ଷା କରାଯାଉଥିବାବେଳେ ୨୯ପଜିଟିଭ ବାହାରୁଛି ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ କହିଛନ୍ତି ।
ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳର ନେତା ମନ୍ତ୍ରୀମାନେ ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବିଶ୍ୱସ୍ତରୀୟ କହୁଥିବାବେଳେ ୨୩ବର୍ଷ ଶାସନରେ ସ୍ମାର୍ଟସିଟି ଭୁବନେଶ୍ୱରରେ ପାଖାପାଖି ୩୦ପ୍ରତିଶତ ଡେଙ୍ଗୁ ରୋଗୀ । ଏହା ଆମେ କହୁନୁ କ୍ୟାପିଟାଲ ହସ୍ପିଟାଲର ତଥ୍ୟ କହୁଛି । ରାଜଧାନୀରେ ଡେଙ୍ଗୁରେ ୨ଟି ମୁଣ୍ଡ ଗଡିଲାଣି ଅଥଚ ସରକାରଙ୍କ ନିଦ ଭାଙ୍ଗୁ ନାହିଁ । ଭୁବନେଶ୍ୱରରେ ଡେଙ୍ଗୁର ଅବସ୍ଥା ଅସମ୍ଭାଳ ହୋଇଥିବାବେଳେ ରାଜ୍ୟ ସରକାର ନିଜର ଅପାରଗତାକୁ ଘୋଡାଇବା ପାଇଁ ତଥ୍ୟ ଲୁଚାଉଛନ୍ତି । ଡେଙ୍ଗୁ ଜନିତ ମୃତ୍ୟୁକୁ ଅସ୍ୱୀକାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଡେଙ୍ଗୁ ମୃତ୍ୟୁକୁ ନମାନିବା ସରକାରଙ୍କ ଅସହାୟତାକୁ ପ୍ରକାଶ କରୁଛି । ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ବିଭିନ୍ନ ସହରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ।
ପ୍ରକାଶଥାଉ କି, ଗତବର୍ଷ ମଶା ଉପଦ୍ରବ ସମୟରେ ବିଏମସି ମଶା ମାରିବା ପାଇଁ “ଡ୍ରୋନ ସ୍ପ୍ରେ ଯୋଜନା”ର ମିଡିଆ ଇଭେଂଟ କରିଥିଲା । ଚଳିତବର୍ଷ ସେ ଡ୍ରୋନ ସ୍ପ୍ରେ କୁଆଡେ ଗଲା ବୋଲି ଶ୍ରୀ ମଲ୍ଲିକ ପ୍ରଶ୍ନ କରିଛନ୍ତି ।
ରାଜଧାନୀରେ ଡ୍ରେନ ଅବ୍ୟବସ୍ଥା, ରାସ୍ତାରେ ପାଣିଜମା ହେଉଥିବାରୁ ଡେଙ୍ଗୁ ମଶାର ବଂଶ ବିସ୍ତାର ହେଉଛି । ଜଳ ନିଷ୍କାସନ ପାଇଁ ଥିବା ଡ୍ରେନ ପୋତାଯାଇ କେଉଁଟି ବିଲ୍ଡିଂ ହେଲାଣି ତ କେଉଁଠି ରାସ୍ତା, କେଉଁଠି ଠିକାଦାର ଓ ବିଲ୍‌ଡରଙ୍କୁ ଟେକି ଦିଆଯାଉଛି । ଆଉ ଏକ ଅଭାବନୀୟ ଘଟଣା ଯେ, କ୍ୟାପିଟାଲ ହସ୍ପିଟାଲ ପାଚେରୀକୁ କଡରେ ଅଳିଆ ନନ୍ଦମାର ଅସ୍ତାୟୀ ଡମ୍ଫିଆଡ ସୃଷ୍ଟି ହୋଇଛି । ଯାହାକି କି ସେଠାରେ ମଶା ବଂଶ ବୃଦ୍ଧିର କାରଣ ପାଉଟିଛି । ସେଠାରେ ଗଦାହୋଇଥିବା ପ୍ଲାଷ୍ଟିକ ଗ୍ଲାସ, ବୋଟଲ୍ ଭିତରେ ପାଣି ଜମି ରହି ମଶା ବଂଶବୃଦ୍ଧି ଘଟୁଛି । ଏହିପରି ରାଜଧାନୀର ଅନେକ ସ୍ଥାନରେ ଅଳିଆ ଆବର୍ଜନାର ଅସ୍ତାୟୀ ଡମ୍ଫିଆଡ ଚିନ୍ତାର କାରଣ ପାଲଟିଛି । ଏସବୁ ପ୍ରତି ବିଏମସି ଆଖିବୁଜି ଦେଇଛି । ରାଜଧାନୀରେ ଡେଙ୍ଗୁ ସ୍ଥିିତି ନିୟନ୍ତ୍ରଣରେ ନାହିଁ । ଲୋକଙ୍କ ଜୀବନ ଯାଉଛି । ସରକାର ନିଦରୁ ଉଠନ୍ତୁ, ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଡିଣ୍ଡିମ ନପିଟି ବାସ୍ତବିକତାକୁ ଗ୍ରହଣ କରନ୍ତୁ । ରାଜଧାନୀ ସମେତ ସମଗ୍ର ରାଜ୍ୟବାସୀ କିଭଳି ଡେଙ୍ଗୁରୁ ରକ୍ଷା ପାଇବେ ସେଥିପାଇଁ ସ୍ୱାସ୍ଥ୍ୟବିଭାଗ ଓ ବିଏମ୍‌ସି କର୍ତୃପକ୍ଷ ଉତର ଦାୟିତ୍ୱ ନିଅନ୍ତୁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
Spread the love