ଅନ୍ତ୍ୟୋଦୟ ପରିକଳ୍ପନା ପଣ୍ଡିତ ଦୀନଦୟାଲଜୀଙ୍କ ଏକ ଅଭୂତପୂର୍ବ ସଫଳତା: ବିଜେପି

ଭାରତୀୟ ଜନସଂଘ ପାର୍ଟିର ସହ ସଂସ୍ଥାପକ ତଥା ଭାରତୀୟ ଜନସଂଘର ପ୍ରଥମ ସଂଗଠନ ସଂପାଦକ
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୫୨ତମ ପୂର୍ଣ୍ଣତିଥି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଜେପିର ସମସ୍ତ ନେତା ଓ କର୍ମୀମାନେ ଏକାଠି ହୋଇ ରାଜ୍ୟ କାର୍ଯ୍ୟାଳୟରେ ପଣ୍ଡିତ ଦୀନଦୟାଲ ଜୀଙ୍କୁ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଦଳୀୟ ନେତୃବୃନ୍ଦ ପଣ୍ଡିତ ଦୀନଦୟାଲଙ୍କ କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରିବା ସହ ତାଙ୍କ ସ୍ମୃତିଚାରଣ କରିଥିଲେ । ସମାଜର ଅର୍ଥନୈତିକ ଶିଡିର ସବୁଠାରୁ ତଳ ସୋପାନରେ ଥିବା ଅନଗ୍ରସର ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ ପାଇଁ ପଣ୍ଡିତ ଦୀନଦୟାଲ
କାର୍ଯ୍ୟ କରୁଥିଲେ । ଅନ୍ତ୍ୟୋଦୟ ପରିକଳ୍ପନା ପଣ୍ଡିତ ଦୀନଦୟାଲଙ୍କ ଏକ ଅଭୂତପୂର୍ବ ସଫଳତା । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଏହି ପରିକଳ୍ପନାକୁ ଆଧାର କରି କାର୍ଯ୍ୟ କରିଥିଲେ । ବର୍ତମାନ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୀନଦୟାଲଜୀଙ୍କ ଅନ୍ତୋଦୟ ପରିକଳ୍ପନାକୁ ଆଧାର କରି ବହୁ ସଫଳତା ପାଇଛନ୍ତି । ବିଶେଷ ଭାବେ ଦେଶରେ ବସବାସ କରୁଥିବା ଗରୀବ
ଓ ଆର୍ଥିକ ଅନଗ୍ରସଙ୍କ ପାଇଁ ବହୁ ଜନ ଓ ଗରୀବକଲ୍ୟାଣ ଯୋଜନାକୁ ସଫଳତାର ସହିତ କାର୍ଯ୍ୟକାରୀ କରିଛନ୍ତି । ଦୀନଦୟାଲଜୀଙ୍କ ଭଳି
ଆମ୍ଭେମାନେ ସଂପୂର୍ଣ୍ଣ ସମର୍ପଣ ଭାବ ସହ ରାଷ୍ଟ୍ରହିତ ଓ ସମାଜହିତ କାର୍ଯ୍ୟରେ ନିଜକୁ ଗଢି ତୋଳିବା ଉଚିତ୍ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏହି ଅବସରରେ କହିଛନ୍ତି । ସ୍ୱଦେଶୀ ଭାବନା ଓ ଭାରତୀୟ ସଂସ୍କୃତି ଆଧାରିତ ରାଷ୍ଟ୍ରଚିନ୍ତନକୁ ଦୃଢ ଓ ତଥ୍ୟ ପୂର୍ଣ୍ଣ ଅର୍ଥରେ ପରିପ୍ରକାଶ କରି ଏହାର ମହାନତାକୁ ସାବ୍ୟସ୍ତ କରିବା ହେଲା ଏକାତ୍ମ ମାନବବାଦର ମୂଳ ଲକ୍ଷ୍ୟ । ଭାରତୀୟ ଜନସଂଘ ଦଳର ନୀତି ଓ ସିଦ୍ଧାନ୍ତ ଉପସ୍ଥାପନା କରିବାକୁ ଯାଇ
ଦୀନଦୟାଲଜୀ ଏକାତ୍ମ ମାନବବାଦ ଦର୍ଶନ ପ୍ରସ୍ତୁତ କରିଥିଲେ । ପରବର୍ତୀ ସମୟରେ ୧୯୮୫ ମସିହାରେ ଭାରତୀୟ ଜନତା ପାର୍ଟି ନିଜର ବୈଚାରିକ ସିଦ୍ଧାନ୍ତ ଭାବରେ ଗ୍ରହଣ କରି ଏହାକୁ ପଂଚନିଷ୍ଠାରେ ସ୍ଥାନୀତ କରିଛି । ଦୀନଦୟାଲଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ବରିଷ୍ଠ ବିଜେପି ନେତା ଶ୍ରୀ ଐର ଖାରବେଳ ସ୍ୱାଇଁ ଆହ୍ୱାନ ଦେଇଛନ୍ତି ।
ବାଲ୍ୟାବସ୍ଥାରୁ ଦୁଃଖକଷ୍ଟରେ ଜୀବନ ବିତାଇଥିବା ଦୀନଦୟାଲଜୀ ସର୍ବଦା ନିଜକୁ ସମାଜ ସେବାରେ ଜଡିତ ଥିଲେ । ଗ୍ରାମାଂଚଳରେ ବାସ କରୁଥିବା ଗରିବ ଏବଂ ସମାଜର ଅବେହେଳିତ ବ୍ୟକ୍ତିମାନଙ୍କ ପ୍ରତି ଦୀନଦୟାଲଜୀଙ୍କ ସଂକଳ୍ପବଦ୍ଧତାକୁ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି ସ୍ମରଣ କରିଥିଲେ । ଦୀନଦୟାଲଙ୍କ ଏକାତ୍ମ ମାନବବାଦ ଆଜି ଭାରତୀୟ ରାଜନୀତିରେ ଗରିବଙ୍କ
ଉତଥାନ ପାଇଁ ସର୍ବଶ୍ରେଷ୍ଠ ମଡେଲ । ଦୀନଦୟାଲ ଯେତେବେଳ ରାଜନୀତିରେ ସକ୍ରିୟ ଥିଲେ ସେତେବେଳେ ସାଂପ୍ରତିକ ରାଜନୀତିରେ କଂଗ୍ରେସ ଓ ବାମପନ୍ଥୀ ବିଚାରକୁ ପ୍ରତିହତ କରି ଜନସଂଘର ବିଚାରକୁ ଜନମାନସରେ ସ୍ଥାନୀତ କରିବାରେ ତାଙ୍କ ଭୂମିକା ଅତୁଳନୀୟ ।
ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରଂଜନ ପଟେଲ, ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Spread the love