ବିଶ୍ୱାସ ଓ ଭକ୍ତି ଆଗରେ ହାରିଛି ଅକ୍ଷମତା ; ଜଗା ଡାକ ଶୁଣିଲା, ବଡ଼ଦାଣ୍ଡେ ପାଦ ଚଳିଲା

ପୁରୀ ୦୬/ ୦୩ : ଗାଁ ଦାଣ୍ଡକୁ  ଆସିବାକୁ ଅକ୍ଷମ ଥିବା ପାଦ ଆଜି ବଡ଼ଦାଣ୍ଡରେ। ବିଶ୍ୱାସରୁ ଆସିଯାଇଛି ବଳ। ଅକ୍ଷମ ପାଦ ଚଳିଛି।   ଜଗା ଆଡ଼କୁ ବଢ଼ି ଆସିଛି । ଅକ୍ଷମତାର ପରିଧି ଭିତରେ କାଳିଆକୁ ଦେଖିବାକୁ ଝୁରି ହେଉଥିଲା ମନ । ଆଜି ସେହି ମନ ଦୁଇ ହାତରେ କାଳିଆକୁ ଟେକି ଦେଇଛି ନୈବେଦ୍ୟ।  ଏସବୁ ସମ୍ଭବ ହୋଇପାରିଛି କେବଳ ସେହି ଜଗା ପାଇଁ। ବିଶ୍ୱାସ ଓ ଭକ୍ତି ଆଗରେ ହାରିଛି ଅକ୍ଷମତା।

କାଳିଆ ଭରସାରେ ଶ୍ରୀକ୍ଷେତ୍ରକୁ ଆସିଥିବା ଶ୍ରଦ୍ଧାଳୁ ବାସୁଦେବ ଗଡୁଆ । ଘର ସୁବର୍ଣ୍ଣପୁର ଜିଲ୍ଲା ଡେଙ୍ଗୁପଦର । ଜୀବନରେ ସବୁ କିଛି ଠିକ୍‌ ଚାଲିଥିଲା। ହେଲେ ହଠାତ୍ ଘୋଟି ଆସିଲା କଳା ବାଦଲ। ଗୋଟିଏ ଯାଗାରେ ଅଟକିଗଲା ଜୀବନ। ଦୁଇବର୍ଷ ତଳେ କୌଣସି ରୋଗ କାରଣରୁ ଅକାମି ହୋଇଥିଲା ବାସୁଦେବଙ୍କ ବାମ ଗୋଡ଼ । ଜୀବନ ବଞ୍ଚାଇବାକୁ ଗୋଡ଼ କାଟି ଦେଲେ ଡାକ୍ତର । ବାସୁଦେବ ପାଲଟିଗଲେ ଅକ୍ଷମ। ପରିବାରର ଏକମାତ୍ର ରୋଜଗାରିଆ ପୁଅ ହୋଇଗଲେ ରୋଜଗାରଶୂନ୍ୟ।  ମାଡ଼ିବସିଲା ଅଭାବର ଦୁଃଖ ଓ ଅକର୍ମାଣ୍ୟତାର ଦୁଶ୍ଚିନ୍ତା ।

ଏତେ ଦୁଃଖରେ ଜଗନ୍ନାଥଙ୍କୁ ଭରସା କରିଥିଲେ ବାସୁଦେବ।  ଭକ୍ତି ଓ ବିଶ୍ୱାସରୁ ଜଗା ବାଟ ଦେଖାଇବା ଭଳି ମିଳିଲା ରାହା। ସୋସିଆଲ ମିଡିଆରୁ ପୁରୀ ପତିତପାବନ ସମାଜ ସେବା ସଂଘର ସେବା ବିଷୟରେ ଜାଣିଲେ।  ସଂଘ କର୍ମକର୍ତ୍ତାଙ୍କୁ ଯୋଗାଯୋଗ କରି  ପୁରୀରେ ପହଞ୍ଚିଲେ।  ପତିତପାବନ ସମାଜ ସେବା ସଂଘ ଚନ୍ଦନପୁର ସେବାଶ୍ରମରେ ତାଙ୍କ ରହଣୀ ଓ ଖାଇବା ବ୍ୟବସ୍ଥା କରିଥିଲେ। ମାଗଣାରେ ପ୍ଲାଷ୍ଟିକ ଗୋଡ଼ ଦେଇ ବାସୁଦେବଙ୍କୁ ପୁଣି ସ୍ବଚଳ କ୍ଷମତା ଦେଲେ।  ତେବେ ଶ୍ରୀମନ୍ଦିରରେ  ବାସୁଦେବଙ୍କୁ ମହାପ୍ରଭୁଙ୍କ ଦର୍ଶନ  କରାଇ , ମହାପ୍ରସାଦ ଖୁଆଇ ତାଙ୍କ ସୂପ୍ନ ପୂରଣ କରିଥିଲେ।

ସୁବର୍ଣ୍ଣପୁରରୁ ଆସିଥିଲେ ନୀଳାଚଳ ଧାମ। ପ୍ରଭୁ ଜଗନ୍ନାଥ କେବଳ ଦର୍ଶନ ଦେଲେନି, ପୂରଣ କଲେ ପ୍ରାର୍ଥନା। ଅକ୍ଷମରୁ ସକ୍ଷମ ହେବାକୁ ବାସୁଦେବଙ୍କୁ ମିଳିଲା ସାହାଯ୍ୟ ଆଉ ଜଗାର କୃପା। କାରଣ ସେ ଭକ୍ତର ଭଗବାନ।  

Spread the love