ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ପୁରା ଅଧିବେଶନରୁ ନିଲମ୍ବିତ

କୋଲକାତା ୦୯।୦୩: ବିଜେପି ବିଧାୟକଙ୍କ ବିରୋଧରେ ଆକ୍ସନ। ପଶ୍ଚିମବଙ୍ଗ  ବିଧାନସଭାରେ ପ୍ରବଳ ହଟ୍ଟଗୋଳ କାରଣରୁ ବିଜେପି ବିଧାୟକ ସୁଦୀପ ମୁଖୋପାଧ୍ୟାୟ ଏବଂ ମିହିର ଗୋସ୍ଵାମୀଙ୍କୁ ବଜେଟ୍  ଅଧିବେଶନର ବାକି ଦିନରୁ ନିଲମ୍ବିତ କରାଯାଇଛି। ଦୁଇ ବିଜେପି ବିଧାୟକଙ୍କ ଉପରେ ବୁଧବାର ରାଜ୍ୟପାଳ ଜଗଦୀପ ଧନଖଡଙ୍କ ଅଭିଭାଷଣ ସମୟରେ ଗୃହର ଅବମାନନା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ରାଜ୍ୟର ଗୃହ କାର୍ଯ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିବାକୁ ବାଚସ୍ପତିଙ୍କୁ ପ୍ରସ୍ତାବ ଦେଇଥିଲେ। ବିଧାନସଭାରେ ପ୍ରସ୍ତାବ ଉପସ୍ଥାପନ କରି ଚାଟାର୍ଜୀ କହିଛନ୍ତି, ନତାବାରୀ ନିର୍ବାଚନ ମଣ୍ଡଳିର ପ୍ରତିନିଧିତ୍ଵ କରୁଥିବା ଗୋସ୍ଵାମୀ ଏବଂ ପୁରୁଲିଆ ବିଧାୟକ ମୁଖୋପାଧ୍ୟାୟ ମାର୍ଚ୍ଚ ୭ରେ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ନାରାବାଜି କରିବା ସହ ଗୃହର ଅବମାନନା କରିଛନ୍ତି। ଉଭୟ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ସେ କହିଥିଲେ।

ପ୍ରସ୍ତାବ ଧ୍ଵନି ମତରେ ପାରିତ ହୋଇଥିଲା। ଏହା ପରେ ବାଚସ୍ପତି ଦୁଇ ବିଧାୟକଙ୍କୁ ସଂପୂର୍ଣ୍ଣ ଅଧିବେଶନରୁ ନିଲମ୍ବିତ କରିଛନ୍ତି। ରାଜ୍ୟପାଳ ସେହି ଦିନ ବିରୋଧୀ ବିଜେପି ବିଧାୟକଙ୍କ ପ୍ରବଳ ହଙ୍ଗାମା ଏବଂ ହଟ୍ଟଗୋଳ କାରଣରୁ ଭାଷଣର ପ୍ରଥମ ଏବଂ ଶେଷ ଧାଡି ପଢି ନିଜ ଭାଷଣ ଶେଷ କରିଥିଲେ।

Spread the love