କୃଷକମାନଙ୍କ ଧାନ ବିକ୍ରି ଜନିତ ସମସ୍ୟା ଉପେର ଆଲୋଚନା

ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟି– ୬ର ନବମ ବୈଠକ ବିଧାନସଭା ପ୍ରକୋଷ୍ଠ-୫୪ରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଧାୟକ ତଥା ଭାରତୀୟ ଜାତୀୟ କଂଗ୍ରେସ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର କୃଷକମାନଙ୍କ ଧାନ ବିକ୍ରି ଜନିତ ସମସ୍ୟା ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ମଣ୍ଡି ଗୁଡ଼ିକ ବନ୍ଦ ହୋଇଯାଉଥିବା ପରିପ୍ରେକ୍ଷୀରେ କୃଷକମାନଙ୍କ ଧାନ କ୍ରୟ କରିବାକୁ ଯୋଗାଣ ଓ ସମବାୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଚାଷୀମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରତ୍ୟେକ ମଣ୍ଡିରେ ସିସିଟିଭି କ୍ୟାମେରା ସଂଯୋଗ ସହ ଆବଶ୍ୟକୀୟ ଗୋଦାମ ଗୃହ ନିର୍ମାଣ କରିବାକୁ ମଧ୍ୟ କମିଟି ତରଫରୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି।
ଏହାଛଡ଼ା ଚାଷୀମାନଙ୍କୁ ଅଖା ବ୍ୟାଗ୍ ପିଛା ୧୦ ଟଙ୍କା ଏବଂ ପ୍ଲାଷ୍ଟିକ୍ ବ୍ୟାଗ ପିଛା ୫ ଟଙ୍କା ପ୍ରଦାନ କରିବାକୁ ସୋସାଇଟି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ଓ ବୌଦ୍ଧ ଜିଲ୍ଲାରେ ଧାନ ସଂଗ୍ରହ ସ୍ଥିତି ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ବିଧାୟକ ବଦ୍ରିନାରାୟଣ ପାତ୍ର, ଅରବିନ୍ଦ ଢ଼ାଲି, ସତ୍ୟନାରାୟଣ ପ୍ରଧାନ, ପ୍ରଶାନ୍ତ କୁମାର ଜଗଦେବ, ପ୍ରଦୀପ କୁମାର ଦିଶାରୀ, ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଯୋଗ ଦେଇଥିଲେ। ଖାଦ୍ୟ ଓ ଯୋଗାଣ ତଥା ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ବିଧାନସଭା ସଚିବ ଦାଶରଥୀ ଶତପଥୀ ଏବଂ ସମ୍ପୃକ୍ତ ଜିଲ୍ଲା ସମବାୟ ରେଜିଷ୍ଟ୍ରାର ବୈଠକରେ ଉପସ୍ଥିତ ଥିଲେ।

Spread the love