ଏହି ବାସନରେ ଖାଦ୍ୟ ସେବନ ଉତ୍ତମ ହୋଇଥାଏ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ  ଉତ୍ତମ ଖାଦ୍ୟ ସହ ଖାଦ୍ୟ ପ୍ରସ୍ତୁତ କରିବାର ଶୈଳୀ ଓ ବାସନ ଉପରେ ଧ୍ୟାନ ଦେବା ଆବଶ୍ୟକ।ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ପିତ୍ତଳ ଓ ଲୁହା ବାସନ ଓ ପିଇବା ପାଣି ପାଇଁ ତମ୍ବା ପାତ୍ରର ବ୍ୟବହାର କରିବା ଅନେକ ପୁରାତନ କାଳରୁ କରାଯାଉଛି। ମାତ୍ର ବର୍ତ୍ତମାନ ସମୟରେ ଏହି ଜିନିଷ ପ୍ରତି କେହି ଗୁରୁତ୍ୱ ଦେଉ ନାହାଁନ୍ତି। ତେବେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପିତ୍ତଳ,ଲୁହା, ତମ୍ବା ଓ କଂସା ବାସନର ବ୍ୟବହାର କିଭଳି ଲାଭଦାୟକ ହୋଇଥାଏ ଜାଣନ୍ତୁ….

ଲୁହା – ଲୁହାରେ ତିଆରି ବାସନକୁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରିବା ଦ୍ୱାରା ଅଧିକ ତେଲର ଆବଶ୍ୟକତା ହୋଇନଥାଏ। ଏହି ବାସନରେ ଥିବା ଏକ ପ୍ରକାର ଆସ୍ତରଣ ଖାଦ୍ୟରେ ମିଶିଥାଏ। ଯାହା ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଆଇରନ ମିଳିଥାଏ। ଏହାସହ ଲୁହା ବାସନ ଅଧିକ ଦିନ ପର୍ଯ୍ୟନ୍ତ ମଧ୍ୟ ବ୍ୟବହାର ଉପଯୋଗୀ ହୋଇଥାଏ।

କଂସା – କଂସା ବାସନରେ ଖାଦ୍ୟ ଖାଇବା ଅନ୍ୟ ବାସନ ତୁଳନାରେ ସବୁଠାରୁ ଉତ୍ତମ। ବିଶେଷଜ୍ଞଙ୍କ ମତରେ କଂସା ଥାଳିରେ ଖାଦ୍ୟ ଖାଇବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହେବା ସହ ଖାଦ୍ୟ ଭଲରେ ହଜମ ହୋଇଥାଏ। ସଂକ୍ରମଣକୁ କମ କରିଥାଏ। ସ୍ମରଣ ଶକ୍ତି ବୃଦ୍ଧି କରିଥାଏ।

ପିତ୍ତଳ – ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଅଧିକ ଦିନ ଯାଏଁ ବ୍ୟବହାର ଉପଯୋଗୀ ମଧ୍ୟ ହୋଇଥାଏ। ବିଶେଷଜ୍ଞଙ୍କ ମତାନୁସାରେ ପିତ୍ତଳ ବାସନରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା ଖାଦ୍ୟରେ ଥିବା ପୋଷକତତ୍ତ୍ୱର ମାତ୍ର ୭% ନଷ୍ଟ ହୋଇପାରେ।

ତମ୍ବା – ତମ୍ବା ଜାର୍‍ ରେ ପାଣି ରଖି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ମିଳିଥାଏ। ଏହି ପାତ୍ରର ପାଣିକୁ ପ୍ରାକୃତିକ ଉପାୟରେ ବିଶୁଦ୍ଧୀକରଣ କରିବାର ଗୁଣ ରହିଛି। ଏଥିରେ ଆଣ୍ଟି-ଇନଫ୍ଲେମେଟୋରୀ ଗୁଣ ମଧ୍ୟ ରହିଛି। ଏହା ଆଣ୍ଠୁଗଣ୍ଠି ଯନ୍ତ୍ରଣା ସହ ଅନ୍ୟ ଯନ୍ତ୍ରଣା ମଧ୍ୟ ଦୂର କରିଥାଏ।

Spread the love