ଆଜି ବିଧାନସଭା : ଶାସକ ଦଳକୁ ଘେରିବେ ବିରୋଧୀ

ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ କଂଗ୍ରେସ ଦଳ ତା’ର ରଣନୀତି ଆଜି ପ୍ରସ୍ତୁତ କରିଛି। ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ବିଧାୟକ ଦଳ ବୈଠକ ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ରାଜ୍ୟ ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ପ୍ରଭାବୀ ଢଙ୍ଗରେ ଘେରିବା ପାଇଁ ବିଧାୟକମାନେ ମାନସ ମନ୍ଥନ କରିଥିଲେ। ବୈଠକରେ ଦଳର ବିଧାୟକଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି ଯେ କୃଷି ଓ କୃଷକ ସମସ୍ୟା ରାଜ୍ୟରେ ଗୁରୁତର ଆକାର ଧାରଣ କରିଛି। ଧାନ କିଣା ଆରମ୍ଭ ହୋଇଥିଲେ ବି ମଣ୍ଡିରେ ଶହ ଶହ ହଜାର ହଜାର ବସ୍ତା ଧାନ ଆଣି ଚାଷୀ ରଖିଛନ୍ତି। କିନ୍ତୁ ଧାନ ଉଠୁ ନାହିଁ। ଅନ୍ୟ ପଟେ ମିଲ୍‌ ମାଲିକ, ଦଲାଲମାନେ ଚାଷୀଙ୍କ ଠାରୁ କମ୍ ଦରରେ ଧାନ କିଣୁଛନ୍ତି। ଫଳରେ ଚାଷୀ ଅଭାବୀ ବ୍ରକିି ସାମ୍ନା କରୁଛି। ରାଜ୍ୟରେ ଏବେ ଜଙ୍ଗଲରାଜ ଚାଲିଛି। ଆଇନ୍‌ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଗଲାଣି। ଆଗରୁ ସରକାର ଖଣି ଦୁର୍ନୀତିରେ ଲିପ୍ତ ଥିଲେ। ଏବେ ପାଣି, କୋଭିଡ୍‌ ଦୁର୍ନୀତିରେ ସରକାର ପୂର୍ବର ସବୁ ଦୁର୍ନୀତିକୁ ଟପିଯାଇଛନ୍ତି। ବେକାରୀ ସମସ୍ୟା ଏତେ ଉତ୍କଟ ହେଲାଣି ଯେ ଡ୍ରଗ୍ସ ଖାଇ ବେକାର ଯୁବକ, ଯୁବତୀ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ପିଇବା ପାଣି ସମସ୍ୟା ଗୁରୁତର ଆକାର ଧାରଣ କଲାଣି। ଖରାଦିନକୁ ସ୍ଥିତି ଆହୁରି ଭୟଙ୍କର ହେବ। କୋଭିଡ୍‌ ଯୋଗୁ ସ୍କୁଲ୍‌ଏ କଲେଜକୁ ବନ୍ଦ କରିଛନ୍ତି ସରକାର। ପିଲାଙ୍କ ପାଠପଢ଼ା ବିଗିଡ଼ି ଗଲାଣି। ଅଭିଭାବକ, ସାଧାରଣ ଜନତାଙ୍କ ଭିତରେ ସ୍କୁଲ୍‌ ବନ୍ଦକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହିପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ କଂଗ୍ରେସ ଗୃହରେ ଉଠାଇ ସରକାରଙ୍କୁ ଜବାବ ମାଗିବ। କୋଭିଡ୍‌ କିଟ୍‌ କିଣା ଦୁର୍ନୀତି, ହାଜତ ମୃତ୍ୟୁ ମାମଲାକୁ ମଧ୍ୟ ଦଳ ଅଗ୍ରାଧିକାର ଦେବ। କେନ୍ଦ୍ର କୃଷି ଆଇନ୍‌ କିପରି ଭାବେ କୃଷକ ବିରୋଧୀ, ସେ ପ୍ରସଙ୍ଗ ମଧ୍ୟ କଂଗ୍ରେସ ଗୃହରେ ଉଠାଇବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଶୁକ୍ରବାର ଠାରୁ ବିଧାନସଭାର ଶୀତ ଅଧିବେଶନ। ଆଜି ବିଜେପି ବିଧାୟକ ଦଳ ବୈଠକ ବସି ରଣନୀତି ସ୍ଥିର ହୋଇଛି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ସୁରକ୍ଷା, ବେରୋଜଗାର, ମଣ୍ଡି ଅବ୍ୟବସ୍ଥା, କୋଭିଡ ପରିଚାଳନାରେ ବିଫଳତା, ପିଏମ୍‌ ଆବାସ ଦୁର୍ନୀତି ଓ ସୀମା ବିବାଦ ଆଦି ପ୍ରସଙ୍ଗ ଉଠାଇ ବିଜେପି ଶାସକ ଦଳକୁ ଘେରିବାକୁ ଯୋଜନା କରିଛି। ପୁଣି ଘର ଦେବା ପାଇଁ ହିତାଧିକାରୀଙ୍କ ସହ ଯୌନ ସଂପର୍କ ରଖିବା ପାଇଁ ବାଧ୍ୟ କରାଯିବା ପରି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ମଧ୍ୟ ବିଜେପି ଉଠାଇବ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକ ପରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି ଯେ ଚଳିତ ବିଧାନସଭା ଅଧିବେଶନରେ ବିଜେପି ରାଜ୍ୟର ବିଭିନ୍ନ ସମସ୍ୟା ଉଠାଇବା ସହ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଉପରେ ସରକାରଙ୍କୁ ପ୍ରଶ୍ନ କରିବ। ୨୦ ବର୍ଷ ଶାସନ ପରେ ବି ରାଜ୍ୟ ସରକାର କୌଣସି କଥାକୁ ଗୁରୁତ୍ୱ ଦେଲେ ନାହିଁ। ନା ଗାଁକୁ କାମ ମିଳିଲା ନା ମାକୁ ସମ୍ମାନ ମିଳିଛି। ନାରୀ ନିର୍ଯାତନା ଘଟଣା ପ୍ରତିଦିନ ଗଣମାଧ୍ୟମର ପୃଷ୍ଠା ମଣ୍ଡିତ କରୁଛି। କଳାହାଣ୍ଡି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗରିବ ଅସହାୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁଥିଲେ ହେଁ ସରପଞ୍ଚ ଘର ଦେବା ପାଇଁ ହିତାଧିକାରୀଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ଚାପ ପକାଉଛନ୍ତି। ପୂର୍ବରୁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ସମାନ ଢଙ୍ଗରେ ଘର କରାଇବା ନାଁରେ ପଞ୍ଚାୟତ ଅଫିସରେ ଜଣେ ମହିଳାଙ୍କ ସହ ବିଜେଡି ନେତାମାନେ ଦୁଷ୍କର୍ମ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଇବା ଲାଗି ବିଜେଡି ନେତାମାନେ ଚଞ୍ଚକତା କରି ହିତାଧିକାରୀଙ୍କ ଠାରୁ ହଜାର ହଜାର ଟଙ୍କା ହଡପ କରୁଛନ୍ତି। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ଗଲାଣି। ଏବେ ବି ଅନେକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦିଆଯାଇ ନାହିଁ। ରାଜ୍ୟ ସରକାର ପାଖାପାଖି ୯୦୦୦ ସ୍କୁଲକୁ ବନ୍ଦ କରିସାରିଲେଣି। ଏହି ସବୁ ବିଷୟକୁ ବିଧାନସଭାରେ ଆଲୋଚନା କରାଯିବ।

ବିରୋଧୀ ଦଳ ନେତା ଶ୍ରୀ ଶ୍ରୀ ନାଏକ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଟୋକନ ଓ ଟାର୍ଗେଟ୍ ବ୍ୟବସ୍ଥା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ହଜାର ହଜାର କ୍ବିଣ୍ଟାଲ୍‌ ଧାନ ପଡ଼ି ରହୁଛି। ଶାସକ ଦଳ ଓ ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାର ଶୀକାର ହୋଇ ଚାଷୀ ନିଜ ହକ୍ ପାଇବାରୁ ବଞ୍ଚିତ ହେଉଛି। ମଣ୍ଡିର ଅଭାବ ଯୋଗୁଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଏମ୍‌ଏସ୍‌ପିରୁ କମ୍ ଦରରେ ଚାଷୀ ନିଜର ଉତ୍ପାଦିତ ଅମଳ ବିକ୍ରି କରୁଛନ୍ତି। ବର୍ଷ ବର୍ଷ ଧରି ରାଜ୍ୟ-ରାଜ୍ୟ ଭିତରେ ସୀମା ବିବାଦ ଲାଗି ରହିଛି। ସୀମାବର୍ତୀ ଗ୍ରାମଗୁଡ଼ିକରେ ଓଡ଼ିଶା ସରକାର ବିକାଶମୂଳକ କାର୍ଯ୍ୟ ପହଞ୍ଚାଇବାରେ ବିଫଳ ହୋଇଛନ୍ତି। କୋଭିଡ୍‌ ପରିଚାଳନା ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ରାଜ୍ୟକୁ ଯୋଗାଇ ଦେଇଥିବା ବେଳେ ଏଠାରେ ସରକାର ଏହାକୁ ଠିକ ଢଙ୍ଗରେ ଖର୍ଚ୍ଚ କରିପାରି ନାହାନ୍ତି। ଏହିପରି ଅନେକ ପ୍ରସଙ୍ଗକୁ ବିଜେପି ବିଧାୟକ ଦଳ ଗୃହରେ ଉପସ୍ଥାପନା କରିବା ସହ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ଏବଂ ଭକ୍ତଙ୍କ ଆବେଗକୁ ହୃଦୟଙ୍ଗମ କରି ମନ୍ଦିର ଖୋଲିବା ନେଇ ତୁରନ୍ତ ନିଷ୍ପତ୍ତି ନେବାକୁ ଦଳ ଦାବି କରିବ ବୋଲି ଶ୍ରୀ ନାଏକ କହିଛନ୍ତି।

ବିଧାୟକ ଦଳ ବୈଠଳରେ ରାଜ୍ୟ ସଭାପତି ସମୀର ମହାନ୍ତି, ମୁଖ୍ୟ ସଚେତକ ମୋହନ ମାଝୀ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ରାଜ୍ୟ ସଧାରଣ ସଂପାଦକ ଗୋଲକ ମହାପାତ୍ରଙ୍କ ସମେତ ଦଳର ସମସ୍ତ ବିଧାୟକ, ବିଧାୟିକା ଉପସ୍ଥିତ ଥିଲେ।

Spread the love