ପ୍ରବାସୀ ଓଡ଼ିଆ ସଂଗଠନ ‘ଉତ୍କଳିକା କାତାର’ ତରଫରୁ ଦୀପାବଳି ପାଳିତ

ଭୁବନେଶ୍ବର: ତମସୋ ମା ଜ୍ୟୋତିର୍ଗମୟଃ। ପ୍ରବାସୀ ଓଡ଼ିଆ ସଂଗଠନ ‘ଉତ୍କଳିକା କାତାର’ ତରଫରୁ କାତାର ଦେଶରେ ରହୁଥିବା ଓଡ଼ିଆମାନଙ୍କୁ ନେଇ ଆଲୋକର ପର୍ବ ଦୀପାବଳି ଖୁବ୍ ଧୂମ୍ ଧାମରେ ଦୋହାସ୍ଥିତ ଇଣ୍ଡିଆନ୍ କଲଚରାଲ୍ ସେଣ୍ଟର (ଆଇସିସି)ଠାରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ଯୋଗଦେଇ କାତାରସ୍ଥିତ ବ୍ରିଲିଆଣ୍ଟ ଇଣ୍ଡିଆନ୍ ଇଣ୍ଟରନେସନାଲ୍ ସ୍କୁଲ୍ ର ଅଧ୍ୟକ୍ଷା ଶ୍ରୀମତୀ ଆଶା ଶିଜୁ ଦୀପ ପ୍ରଜ୍ୱଳନ କରିଥିଲେ। ସଭାପତି ଡା. ବସନ୍ତ କୁମାର କବି ସ୍ୱାଗତ ଭାଷଣରେ ସଂଗଠନର ଇତିହାସ ଓ ସଂଗଠନକୁ ସୁଦୃଢ଼ କରିବାରେ ପୁରାତନ ସଭାପତି ଏବଂ ସାଧାରଣ ସଂପାଦକମାନଙ୍କର ଅବଦାନ ବିଷୟରେ ଆଲୋକପାତ କରିବା ସାଂଗକୁ ଉତ୍କଳିକା କାତାରର ବିଭିନ୍ନ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ଯୋଗଦେଇ ସଂଗଠନର କଳାକାରମାନଙ୍କ ଦ୍ୱାରା ପ୍ରସ୍ଥୁତ ଓଡ଼ିଶୀ ନୃତ୍ୟ,ସଂଗୀତ, ଅନ୍ତାକ୍ଷରୀ ଓ ଅଭିନୟ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ। ଅଭିନୀତ ବାସ୍ତବଧର୍ମୀ ନାଟକ “ଗୁରୁ ହିଁ ପରଂବ୍ରହ୍ମ” ସମସ୍ତଙ୍କର ମନକୁ ଛୁଇଁ ପାରିଥିଲା। ଏହି କାର୍ଯ୍ୟକ୍ରମରେ ପୁରାତନ ସଭାପତି ଏବଂ ସାଧାରଣ ସଂପାଦକ ତଥା ବର୍ତ୍ତମାନର ପରିଚାଳନା ସମିତିର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ସାଂସ୍କୃତିକ ସଂପାଦିକା ଇପ୍ସିତା ଶତପଥୀ ଓ  ସାଂସ୍କୃତିକ ସହ ସଂପାଦକ ଓମ୍ ପ୍ରକାଶ ପରିଡ଼ା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସଂଗଠନର ଉପସଭାପତି ନିହାରରଂଜନ ମହାନ୍ତି, ସାଧାରଣ ସଂପାଦକ ଅବିନାଶ ଆଚାର୍ଯ୍ୟ ତଥା ପରିଚାଳନା ସମିତିର କାର୍ଯ୍ୟକର୍ତ୍ତା ଦୀପିକା ନାୟକ,ନିହାରିକା ସ୍ୱାଇଁ, ଜୟଶ୍ରୀ ମହାପାତ୍ର, ପୁନମ୍ ଜାନପ୍ପା ରେଡ୍ଡି, ତୃପ୍ତି ପଟ୍ଟନାୟକ, ସାଗର ମହାନ୍ତି, ତୁଷାର ରଂଜନ ମିଶ୍ର, ପ୍ରିୟଦର୍ଶୀ ଦାଶ, ସତ୍ୟଜିତ ସାମଲ, ପରମାନନ୍ଦ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।’ଉତ୍କଳିକା କାତାର’ର ଉପଦେଷ୍ଟା ସମୂହ ଖାରବେଳ ପାଣିଗ୍ରାହୀ, ଡା. ବିଦ୍ୟାଭୂଷଣ ମହାନ୍ତି, ଗୌତମ ମେହେର ଏବଂ କାଜଲ ବିଶ୍ୱାଳ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love