ଡିଏମ୍ଏଫ୍‌ ପାଣ୍ଠି, ଓଡ଼ିଶାର ଅବଦାନ 24%

ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍‌) ଆଦାୟରେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ଠାରୁ ଆଗରେ ରହିଛି। କେବଳ ଓଡ଼ିଶାରେ 24% ଡିଏମ୍ଏଫ୍‌ ପାଣ୍ଠି ଆଦାୟ ହୋଇଛି ବୋଲି ଖଣି ନିର୍ଦେଶକ ଦୀପକ ମହାନ୍ତି କହିଛନ୍ତି। ଏଠାରେ ଆୟୋଜିତ ଜାତୀୟ କର୍ମଶାଳାରେ ଓଡ଼ିଶା ତରଫରୁ ପ୍ରତିନିଧିତ୍ବ କରି ସେ କହିଛନ୍ତି ଯେ, ଡିଏମ୍ଏଫ୍‌ ଜରିଆରେ ଆଦାୟ କରାଯାଇଥିବା ପାଣ୍ଠି ମଧ୍ୟରୁ 226.42 କୋଟି ଟଙ୍କା ପାନୀୟ ଜଳ ଯୋଗାଣ, 115.95 କୋଟି ଟଙ୍କା ଶିକ୍ଷା, 12.37 କୋଟି ଟଙ୍କା ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ, ସ୍ବାସ୍ଥ୍ୟ ସେବାରେ 162.65 କୋଟି ଟଙ୍କା, ଦକ୍ଷତା‌ ବିକାଶ ପାଇଁ 14.47 କୋଟି ଟଙ୍କା, ମହିଳା, ଶିଶୁ, ବରିଷ୍ଠ ତଥା ଦିବ୍ୟାଙ୍ଗଙ୍କ ପାଇଁ 12.73 କୋଟି ଟଙ୍କା, ରାସ୍ତା ନିର୍ମାଣରେ 57.71 କୋଟି ଟଙ୍କା ଓ ଜୀବିକା ମିସନ ପାଇଁ 14.61 କୋଟି ଟଙ୍କା ଖର୍ଚ କରାଯାଇଛି। ଏହା ବ୍ୟତୀତ ପ୍ରତ୍ୟକ୍ଷ ଭିତ୍ତିଭୂମି ବାବଦରେ 174.44 କୋଟି ଟଙ୍କା, ଜଳସେଚନରେ 62.47 କୋଟି ଟଙ୍କା, ଶକ୍ତି ଏବଂ ଜଳ ଉତ୍ସ ପାଇଁ 35.80 କୋଟି ଟଙ୍କା ଏବଂ ବନୀକରଣରେ 12.24 କୋଟି ଟଙ୍କା ଖର୍ଚ କରାଯାଇଛି। ଡିଏମ୍‌ଏଫ୍‌କୁ ନେଇ ଜିଲ୍ଲା ସ୍ତରରେ ପ୍ରକଳ୍ପ ନିରୀକ୍ଷଣ କମିଟି ଥିବା ବେଳେ ଏକ ରାଜ୍ୟ ସ୍ତରୀୟ କମିଟି ଗଠନ କରାଯିବାର ଯୋଜନା ରହିଛି‌ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ଏହି କର୍ମଶାଳାରେ ଓଡ଼ିଶାର ୮ ଜିଲ୍ଲାପାଳଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ଜଣେ ବି ଯାଇନଥିଲେ। ସେମାନଙ୍କ ବଦଳରେ ଅନ୍ୟ ଅଧିକାରୀମାନେ ସଂପୃକ୍ତ ଜିଲ୍ଲାଗୁଡ଼ିକର ପ୍ରତିନିଧିତ୍ବ କରିଥିଲେ। ଡିଏମ୍ଏଫ୍ ପାଣ୍ଠି ବାବଦରେ ଓଡ଼ିଶାରେ ସର୍ବାଧିକ 5838.26 କୋଟି ଟଙ୍କା ଆଦାୟ ହୋଇଛି ବୋଲି କେନ୍ଦ୍ର ଖଣି ସଚିବ ଅନିଲ୍ ମୁକିମ୍ କହିଛନ୍ତି। ରାଜ୍ୟ ସରକାର ବାସ୍ତବ‌ରେ ବିଭିନ୍ନ ପ୍ରକଳ୍ପରେ ଏହି ପାଣ୍ଠିର ୯୩୩.୮୮ କୋଟି ଟଙ୍କା‌ ଖର୍ଚ କରିଛନ୍ତି ବୋଲି ସେ କହିଛନ୍ତି। ଦେଶର 21ଟି ରାଜ୍ୟର 557ଟି ଜିଲ୍ଲାରେ ମୋଟ 23,606 କୋଟି ଟଙ୍କାର ଡିଏମ୍ଏଫ୍ ପାଣ୍ଠି ଆଦାୟ କରାଯାଇଛି।

 
 
 
 
Spread the love