ଭାରତ ପାକିସ୍ତାନ ମ୍ୟାଚ୍‌ରେ ‘ଜୟ ଶ୍ରୀରାମ’ ସ୍ଲୋଗାନ୍‌କୁ ସମାଲୋଚନା କଲେ ‘ଡିଏମ୍‌କେ’ ନେତା; ଜବାବ ଦେଲା ‘ବିଜେପି’

ନୂଆଦିଲ୍ଲୀ: ଶନିବାର ଦିନ ଅହମଦାବାଦରେ ଭାରତ-ପାକିସ୍ତାନ ମଧ୍ୟରେ ଅନୁ‌ଷ୍ଠିତ ହୋଇଥିବା ବିଶ୍ବକପ୍‌ କ୍ରିକେଟ୍‌ ମ୍ୟାଚ୍‌ରେ ପାକିସ୍ତାନୀ ଖେଳାଳିଙ୍କୁ ବିଦ୍ରୂପ କରିବା ଲାଗି ‘ଜୟ ଶ୍ରୀରାମ’ ସ୍ଲୋଗାନ୍‌ ଦିଆଯିବା ଘଟଣାକୁ ‘ଡିଏମ୍‌କେ’ ନେତା ତଥା ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ ସମାଲୋଚନା କରିବାରୁ ‘ବିଜେପି’ ଜବାବ ଦେଇଛି। ‘ବିଜେପି’ର ଜାତୀୟ ମୁଖପାତ୍ର ଗୌରବ ଭାଟିଆ ଷ୍ଟାଲିନ୍‌ଙ୍କୁ ବିଷ ବିସ୍ତାର କରିବାକୁ ବାହାରି ଥିବା ମଶା ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଖେଳ ବନ୍ଦ କରି ଡ୍ରେସିଙ୍ଗ୍‌ରୁମ୍‌କୁ ଯିବା ବେଳେ ପାକିସ୍ତାନ କ୍ରିକେଟ୍‌ ଖେଳାଳିଙ୍କ ପ୍ରତି ଲୋକେ ନାନା ପ୍ରକାର ଟିପ୍ପଣୀ ଓ ସ୍ଲୋଗାନ୍‌ ଦେଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ‘ଏକ୍ସ୍‌’ କରି ଷ୍ଟାଲିନ୍‌ କହିଥିଲେ, ଭାରତ ଖେଳୁଆଡ଼ ମନୋଭାବ ଓ ଆତିଥେୟତା ପାଇଁ ପ୍ରସିଦ୍ଧ। କିନ୍ତୁ, ପଡ଼ୋଶୀ ଦେଶର ଖେଳାଳିମାନଙ୍କ ପ୍ରତି ଏତାଦୃଶ ବ୍ୟବହାର ହୀନମନ୍ୟତା ପ୍ରଦର୍ଶନ କରୁଛି। ସେ ଲେଖଥିଲେ: ଖେଳୁଆଡ଼ ମନୋଭାବ ଓ ଆତିଥେୟତା ନିମନ୍ତେ ଭାରତ ପ୍ରସିଦ୍ଧ। କିନ୍ତୁ, ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ପାକିସ୍ତାନ ଖେଳାଳିମାନେ ଯେଭଳି ବ୍ୟବହାରର ସମ୍ମୁଖୀନ ହେଲେ ତାହା ନିନ୍ଦନୀୟ ଓ ହୀନମନ୍ୟତାର ପରିଚାୟକ। ସଚ୍ଚା ଭାତୃଭାବ ଉଦ୍ରେକ କରି କ୍ରୀଡ଼ା ଦେଶ ଦେଶ ମଧ୍ୟରେ ଏକତାର ଶକ୍ତି ହେବା ଉଚିତ। ଏହାକୁ ତିକ୍ତତା ବ୍ୟକ୍ତ କରିବା ମାଧ୍ୟମ ଭାବେ ଉପଯୋଗ କରାଯିବା ନିନ୍ଦନୀୟ।

ଏହାର ପ୍ରତ୍ୟୁତ୍ତର ଦେଇ ‘ବିଜେପି’ ମୁଖପାତ୍ର ଗୌରବ ଭାଟିଆ ‘ଏକ୍ସ’ରେ ଲେଖିଛନ୍ତି: ଏଇ ଘୃଣ୍ୟ ଡେଙ୍ଗୁ, ମେଲେରିଆ ମଶା ପୁଣି ବିଷ ବିସ୍ତାର କରିବାକୁ ବାହାରିଛି। ନମାଜ ପାଇଁ ପଡ଼ିଆରେ ଖେଳ ବନ୍ଦ ହେବାରେ ଆପଣଙ୍କର କୌଣସି ସମସ୍ୟା ନାହିଁ। ଆମର ପ୍ରଭୁ ଶ୍ରୀରାମ ବିଶ୍ବବ୍ୟାପୀ ସବୁଠି ବିଦ୍ୟମାନ, ତେଣୁ କୁହ ‘ଜୟ ଶ୍ରୀରାମ’।

Spread the love