ଗୁଣସୂତ୍ର ଶୁଦ୍ଧତା ଯାଞ୍ଚ କରାଇବ କେନ୍ଦ୍ର

ନୂଆଦିଲ୍ଲୀ : ଭାରତ ସରକାର ଦେଶବାସୀଙ୍କ ‘ଜାତିଗତ ଶୁଦ୍ଧତା’ ଉପରେ ଯାଞ୍ଚ ପାଇଁ ଡିଏନ୍‌ଏ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୧୦ କୋଟି ଟଙ୍କାର କିଟ୍ସ ଅର୍ଡର କରାଯାଇଥିବା ନେଇ କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଦେଶରେ ବିବାଦ ମୁଣ୍ଡ ଟେକିଛି। ବିବାଦ ସୃଷ୍ଟି ହେବା ପରେ ଏପରି କୌଣସି ଉଦ୍ଦେଶ୍ୟ ନ ଥିବା ଦର୍ଶାଇ ମନ୍ତ୍ରଣାଳୟ ଏହାକୁ ଖଣ୍ଡନ କରିଛି।ୟୁରୋପ, ଉତ୍ତର ଆମେରିକା ଓ ଅଷ୍ଟ୍ରେଲିଆ ସମେତ ବିଶ୍ୱର ଅନ୍ୟ କେତେକ ଭାଗରେ ଉଗ୍ର ଜାତୀୟତାବାଦ ବଢ଼ିବାରେ ଲାଗିଛି। ବିଶେଷକରି ଉତ୍ତର ଭାରତରେ ଜାତିପ୍ରଥାର ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ। ଉଚ୍ଚ ଜାତିର ଲୋକେ ନିଜକୁ ଆର୍ଯ୍ୟ ବିବେଚନା କରି ନିମ୍ନ ବର୍ଣ୍ଣର ଲୋକଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥାଏ। ଏହି ପରିପ୍ରେକ୍ଷୀରେ ନୂଆ ବିବାଦକୁ ଇନ୍ଧନ ଦେବା ଭଳି ଏକ ପ୍ରସଙ୍ଗ ସାମ୍ନାକୁ ଆସିଛି। ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଡ୍‌ଭାନ୍ସ ଷ୍ଟଡିଜ୍‌ ସହକାରୀ ପ୍ରାଧ୍ୟାପକ ବସନ୍ତ ଏସ୍‌. ସିନ୍ଧେ ହିନ୍ଦୁ-ବହୁଳବାଦୀ ସିଦ୍ଧାନ୍ତର ଦୃଢ଼ ସମର୍ଥକ ରୂପେ ଜଣାଶୁଣା। ୨ ମାସ ତଳେ ପ୍ରତ୍ନତତ୍ତ୍ୱବିତ୍‌ ସିନ୍ଧେଙ୍କ ସହ ସଂସ୍କୃତି ମନ୍ତ୍ରଣାଳୟର ସଚିବ ଗୋବିନ୍ଦ ମୋହନ ଓ ଅନ୍ୟ କେତେଜଣ ବିଦ୍ୱାନ ହାଇଦ୍ରାବାଦରେ ବୈଠକ କରିଥିଲେ। ଉକ୍ତ ବୈଠକ ପରେ ୧୪୦ କୋଟି ଭାରତୀୟଙ୍କ ଜିନ୍‌ଗତ ଶୁଦ୍ଧତା ଉପରେ ଅଧ୍ୟୟନ ଲାଗି ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଆନୁବଂଶିକ ଇତିହାସ ପ୍ରମାଣ କରାଯାଇପାରିବ ବୋଲି କେନ୍ଦ୍ର ସରକାର ବିବେଚନା କରୁଛନ୍ତି। ଡିଏନ୍‌ଏ-ପ୍ରୋଫାଇଲିଂ କିଟ୍ସ ଓ ଅନ୍ୟ ଉପକରଣ କିଣିବା ପାଇଁ ମନ୍ତ୍ରଣାଳୟ ୧୦ କୋଟି ଟଙ୍କା ଆବଣ୍ଟନ କରିଛି। ଆର୍ଯ୍ୟମାନେ ଅନ୍ୟ ଦେଶରୁ ଭାରତକୁ ଆସି ଏଠାକାର ମୂଳ ବାସିନ୍ଦାମାନଙ୍କୁ ବିସ୍ଥାପିତ କରିଥିବା ନେଇ ଏକ ସିଦ୍ଧାନ୍ତ ରହିଛି, ଯାହାକୁ ପ୍ରତ୍ନତତ୍ତ୍ୱବିତ୍‌ ସିନ୍ଧେ ଖଣ୍ଡନ କରିଛନ୍ତି। ସିନ୍ଧେ କହିଛନ୍ତି, ୧୦,୦୦୦ ବର୍ଷ ପୂର୍ବେ ଭାରତୀୟ ଜନସଂଖ୍ୟାର ମୂଳ ଆନୁବଂଶିକ ଢାଞ୍ଚାରେ ପରିବର୍ତ୍ତନ ଓ ଜିନ୍‌ର ମିଶ୍ରଣ ହୋଇଥିଲା। ଜନସଂଖ୍ୟାରେ ଯୋଗସୂତ୍ରର ସାନ୍ଧ୍ରତା ଓ କେଉଁ ସମୟରେ ଏହି ପ୍ରକ୍ରିୟା ଘଟୁଛି ତାହା ଉପରେ ଆନୁବଂଶିକ ପରିବର୍ତ୍ତନ ନିର୍ଭର କରିଥାଏ। ଏହା ଜାଣିବା ପରେ ଆନୁବଂଶିକ ଇତିହାସ ସମ୍ପର୍କରେ ଆମର ସମ୍ପୂର୍ଣ୍ଣ ଧାରଣା ଆସିଯିବ। ଭାରତରେ ଜାତିଗୁଡ଼ିକର ବିଶୁଦ୍ଧତାକୁ ପରଖିବା ପାଇଁ ଏହା ଏକ ଉଦ୍ୟମ ବୋଲି ସିନ୍ଧେ କହିଛନ୍ତି।

Spread the love