ଗୋମାଂସ ଖାଏ ନାହିଁ କି, ପ୍ରୋତ୍ସାହନ ଦିଏ ନାହିଁ: ସ୍ପଷ୍ଟୀକରଣ ଦେଲେ କାମିଆ ଜାନି

ଭୁବନେଶ୍ବର: ମୁଁ ହିନ୍ଦୁଧର୍ମ ଅନୁସରଣ କରେ। ଗୋମାଂସ ଖାଏ ନାହିଁ କି, ତାହା ଖାଇବାକୁ ‌ପ୍ରୋତ୍ସାହନ ଦିଏ ନାହିଁ ବୋଲି ଆଜି ଶ୍ରୀମନ୍ଦିର ପ୍ରବେଶ ପ୍ରସଙ୍ଗରେ ଜାରି କରିଥିବା ଭିଡିଓ ବାର୍ତ୍ତାରେ ‘ୟୁଟ୍ୟୁବର୍‌’ କାମିଆ ଜାନି ସ୍ପଷ୍ଟୀକରଣ ଦେଇଛନ୍ତି।ଜାନି କହିଛନ୍ତି, ସମ୍ପ୍ରତି ମୋ ସମ୍ପର୍କରେ ବିଭିନ୍ନ ପ୍ରକାରର କଥା ଶୁଣିବାକୁ ମିଳୁଛି। ମୋର ପୁରୀ ଯିବାର ଉଦ୍ଦେଶ୍ୟ ଥିଲା ଶ୍ରୀଜଗନ୍ନାଥ ଆଶୀର୍ବାଦ ପାଇବା ସେଠାରେ କରାଯାଇଥିବା ଭିତ୍ତିଭୂମି ବିକାଶ ବିଷୟରେ ଲୋକଙ୍କୁ ଜଣାଇବା। ପୁରୀ ମନ୍ଦିର ଦର୍ଶନ ନିମନ୍ତେ ବିଭିନ୍ନ ନିୟମ ରହିଛି। ତେଣୁ ଶ୍ରୀମନ୍ଦିର ଦର୍ଶନ ବେଳେ କୌଣସି ନୀତିନିୟମ ଭଙ୍ଗ କରିନାହିଁ। ଦୁର୍ଭାଗ୍ୟକୁ ମୋର ପୁରୀ ଭ୍ରମଣ ବିବାଦୀୟ ହୋଇପଡ଼ିଛି। ମୋର ଏହି ବାର୍ତ୍ତା ସମସ୍ତ ବିବାଦ ଦୂର କରିବ ବୋଲି ଆଶ କରୁଛି।

ସେ ଆହୁରି ମଧ୍ୟ କହିଛନ୍ତି, ମୋର କାମ ହେଉଛି ଦେଶର ବିଭିନ୍ନ ସ୍ଥାନକୁ ଯାଇ ସେଠାକାର ଅଧିବାସୀଙ୍କ ସଂସ୍କୃତି, ଐତିହ୍ୟ, ଖାଦ୍ୟପେୟ, ଚଳଣି, ବୈଶିଷ୍ଟ୍ୟ ଓ ସଭ୍ୟତା ବିଷୟରେ ସମଗ୍ର ଦୁନିଆକୁ ଜଣାଇବା। ମୁଁ ଗୋମାଂସ ଖାଇବା ବିଷୟରେ  କେରଳର ଏକ ଫୁଡ୍‌ ବ୍ଲଗ୍‌ ଭିଡିଓ ବ୍ୟବହାର କରାଯାଇଛି। କିନ୍ତୁ, ସେଠାରେ ମୁଁ ଗୋମାଂସ ଖାଇ ନ ଥିଲି, ବିଭିନ୍ନ ନିରାମିଷ ବ୍ୟଞ୍ଜନ ଖାଇଥିଲି।

Spread the love