ରୂପାରେ ଝଟକିଲା ଶ୍ରୀମନ୍ଦିର ସିଂହଦ୍ଵାର

ରୂପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ୱାର । ୩ଦିନ ଧରି ଚାଲିଥିବା ସିଂହଦ୍ୱାର ରୂପା ଛାଉଣୀ କାମ ଶେଷ ହୋଇଛି । ଶାଗୁଆନ୍ କାଠରେ ନବନିର୍ମିତ କବାଟ ସିଂହଦ୍ୱାରରେ ଲାଗିବା ପରେ ମୁମ୍ବାଇରୁ ଆସିଥିବା କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନର ରୂପା ପ୍ଲେଟ ସବୁ ଲଗାଇଛନ୍ତି । ଧାର୍ଯ୍ୟ ସମୟର ବହୁ ଆଗରୁ ଏହି କାମ ଶେଷ ହୋଇଛି । ଶ୍ରୀମନ୍ଦିର ସିଂହ ଦ୍ୱାର ସମ୍ପୂର୍ଣ୍ଣ ଭାବେ ନୂଆ ତିଆରି କରାଯାଇଛି ।ପୁରୁଣା ଦ୍ୱାରକୁ ହଟାଇ ଶାଗୁଆନ୍ କାଠରେ ନୂଆ ଦ୍ୱାର ଲଗାଯାଇଛି । ମୁମ୍ବାଇରୁ ଆସିଥିବା ୧୩ ଜଣ କାରିଗର ଶାଗୁଆନ କାଠରେ ପୂର୍ବର ସିଂହଦ୍ୱାର ଭଳି ଅବିକଳ ଦ୍ୱାର ନିର୍ମାଣ କରିଛନ୍ତି । ଏହା ଉପରେ ରୂପାର କାରୁକାର୍ଯ୍ୟ ରହିଛି । କବାଟର ଚାରିକୋଣରେ ରୂପାର ପତଳା ପ୍ଲେଟ୍ ଲାଗିବା ପରେ ମଝିରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଡିଜାଇନର ବର୍ଗାକାର ରୂପା ପ୍ଲେଟ୍ ଲଗାଯାଇଛି । ସେହିପରି ଦୁଇ ପାଶ୍ୱର୍ରେ ଦୁଇଟି ସିଂହମୂର୍ତ୍ତି ଲଗାଯାଇଛି । ଏହି ଦ୍ୱାରରେ ମା’ ଲକ୍ଷ୍ମୀ ସାଆନ୍ତାଣୀ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ଭବ୍ୟ ସ୍ୱାଗତ କରିବେ । ସେପଟେ ନୀଳାଦ୍ରୀ ବିଜେ ପୂର୍ବରୁ ସିଂହଦ୍ୱାର ରଙ୍ଗକାମ ଆରମ୍ଭ ହୋଇଛି ।

Spread the love