କରୋନାରେ ପ୍ରଫେସର ଚିତ୍ତରଞ୍ଜନ କରଙ୍କ ଦେହାନ୍ତ

କଟକ, ୨୧/୧୧: କଟକ ବଡ଼ ଡାକ୍ତରଖାନା ନେଫ୍ରୋଲୋଜି(ବୃକ୍କକ) ରୋଗ ବିଭାଗୀୟ ମୁଖ୍ୟ ତଥା ରାଜ୍ୟ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟର ନୋଡାଲ ଅଫିସର ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କର(୫୭)ଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ କରୋନାରେ ସଂକ୍ରମିତ ହୋଇ ଦୀର୍ଘ ୩ମାସରୁ ଊର୍ଦ୍ଧ୍ବ ସମୟଧରି ଚିକିତ୍ସିତ ହେଉଥିଲେ। ପ୍ରଥମେ ତାଙ୍କୁ ସମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନ ଆସିବାରୁ ତାଙ୍କୁ ଆମ୍ରି ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ଆମ୍ରିରେ ଉପଯୁକ୍ତ ଚିକିତ୍ସା ହୋଇନପାରିବାରୁ ପ୍ରାୟ ଏକ ମାସ ତଳେ ତାଙ୍କୁ ଏୟାର ଆମ୍ବୁଲାନ୍ସ ସହାୟତାରେ ଚେନ୍ନାଇର ଏମଜିଏମ ହେଲଥ କେୟାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଡାକ୍ତରଙ୍କ ଅକ୍ଳାନ୍ତ ଚେଷ୍ଟା ସତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ, ୨ପୁଅ ଓ ଭଉଣୀ ଉପସ୍ଥିତ ଥିଲେ। ଆଜି ତାଙ୍କ ମୃତଦେହକୁ ଓଡ଼ିଶା ଅଣାଯାଇ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ଜଣାପଡିଛି।

Spread the love