ଚାକିରି ଛାଡି କରୁଛନ୍ତି ମାଗଣା ସେବା

ଲୋକେ କୁହନ୍ତି ଏତେ ଜଟିଳତା ଭିତରେ ବି କିଛି ହାତ ଗଣତି ଲୋକ ଅଛନ୍ତି ଯାହାଙ୍କ ପୂଣ୍ୟବଳରେ ଏ ସଂସାର ଆତଯାତ ହେଉଛି । ଏଭଳି ହାତ ଗଣତି ଲୋକଙ୍କ ଭିତରେ ଅଛନ୍ତି ଏପରି ଜଣେ ଡାକ୍ତର ଯିଏ ନିଜେ ଦାରିଦ୍ର୍ୟର ତାଡନା ଅନୁଭବ କରି ମଧ୍ୟ ଏବେ ଦରୀଦ୍ର ଜନତାଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ଗତ ୧୦ ବର୍ଷ ଧରି ମାଗଣାରେ ଲୋକଙ୍କୁ ଯୋଗାଉଛନ୍ତି ଚିକିତ୍ସା । ପଶ୍ଚିମବଙ୍ଗର ଡାକ୍ତର ଫାରୁକ୍ ହୁସେନ୍ । ପିଲାଟିବେଳୁ ଅତି ଦୁଃଖ, ଦୈନ୍ୟ ଭିତରେ ଦିନ କାଟିଛନ୍ତି । ପେଟର ଭୋକ କ’ଣ ସେ ଭଲ ଭାବେ ଜାଣିଛନ୍ତି । ଆଉ ନିଜର ସେ ଦୈନ୍ୟତାକୁ ପାଥେୟ କରି ସେ ବଡ ହୋଇଛନ୍ତି । ପରିଶ୍ରମ ଓ ଇଚ୍ଛାଶକ୍ତି ବଳରେ ଆଜି ସେ ଜଣେ ଦକ୍ଷ ଡାକ୍ତର ହୋଇଛନ୍ତି । ଆଉ ସବୁ ଦୁଃଖୀ ଦରିଦ୍ରଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି ।
ପିଲାଦିନେ ଫାରୁକ୍‌ ନିଜକୁ କଥା ଦେଇଥିଲେ ଯେ ବଡ଼ ହେବା ପରେ ସେ ଗରିବଙ୍କ ସେବା କରିବେ। ଆଜକୁ ୧୦ ବର୍ଷ ହେବ ସୁନ୍ଦରବନ ଅଞ୍ଚଳରେ ସେ ଏପରି ଏକ ହସ୍ପିଟାଲ୍‌ ଚଳାଉଛନ୍ତି, ଯେଉଁଠାରେ ଗରିବଙ୍କୁ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ସୁବିଧା ମାଗଣାରେ ମିଳୁଛି। ଏହି କାରଣରୁ ଲୋକେ ତାଙ୍କୁ ‘ବିନା ଟଙ୍କାର ଡାକ୍ତର’ ବୋଲି କହିବା ଆରମ୍ଭ କରିଛନ୍ତି। ଡକ୍ଟର ଫାରୁକ୍‌ ପ୍ରାଥମିକ ଶିକ୍ଷା ନିଜ ଗାଁରୁ ଆରମ୍ଭ କରିଥିଲେ। ପରେ ସେ କୋଲକାତାର ମିସନ ସ୍କୁଲ୍‌‌ରେ ନାମ ଲେଖାଇଥିଲେ। ସେଇଠାରେ ହିଁ ସେ ଡାକ୍ତର ହେବାର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ। ପରେ ସେ ବାଙ୍କୁରା ମେଡିକାଲ୍‌ କଲେଜ୍‌ରେ ଏମବିବିଏସ୍‌ ପାଠ ପଢ଼ି ପରେ ଚାକିରି ପାଇଥିଲେ।
ହେଲେ ୨୦୧୪ ମସିହାରେ ସେ ଚାକିରି ଛାଡ଼ି ନିଜ ଗାଁରେ କିଛି ଯୁବକଙ୍କ ସହାୟତାରେ ଏକ ସ୍ୱେଚ୍ଛାସେବୀ ସଂଗଠନ ଆରମ୍ଭ କଲେ। ଏବେ ତାଙ୍କ ସଂଗଠନ ‘ନବ ଦିଗନ୍ତ’ ଜରିଆରେ ନିଜ ଅଞ୍ଚଳର ଅନେକ ସମସ୍ୟାର ସମାଧାନ କରୁଛନ୍ତି। ସେଠାରେ ସେ ଏକ ସ୍କୁଲ୍‌ ବି ବନାଇଛନ୍ତି। କେବଳ ସେତିକି ନୁହେଁ, ସେହି ଅଞ୍ଚଳରେ ‘ସାନିଟାରି ନାପ୍‌କିନ୍‌’ର ପ୍ରଚାର ପାଇଁ ସେ ଝିଅ ଓ ବୋହୂମାନଙ୍କୁ ମାଗଣାରେ ପ୍ୟାଡ୍‌ ବି ଯୋଗାଉଛନ୍ତି। ତାଙ୍କର ଏହି ସବୁ କାମ ପାଇଁ ତାଙ୍କ ନାଁ ୨୦୨୧ ମସିହାରେ ‘ଇଣ୍ଡିଆ ବୁକ୍ସ ଅଫ୍‌ ରେକର୍ଡସ’ରେ ସ୍ଥାନ ପାଇଛି। ତାଙ୍କୁ ଅନେକ ଥର ରାଜ୍ୟସ୍ତରରେ ବି ସମ୍ମାନିତ କରାଯାଇଛି।

Spread the love