ମହାପ୍ରଭୁଙ୍କୁ ଲକ୍ଷେ ତୁଳସୀର ମାଳ, ୧୨ ହାତର ପଦ୍ମମାଳ ସହ ୧୪ ହାତ ପତିତପାବନ ବାନା ଲାଗି କଲେ ରାଷ୍ଟ୍ରପତି

 ଶ୍ରୀମନ୍ଦିର ଯାଇ ଗତକାଲି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାପ୍ରଭୁଙ୍କୁ ଦର୍ଶନ ବେଳେ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ କୌଳିକ ପଣ୍ଡା । ଶ୍ରୀମନ୍ଦିରରେ ପ୍ରାୟ ୪୫ ମିନିଟ୍‌ ବିତାଇବା ସହ ରାଷ୍ଟ୍ରପତି ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୪ ହାତର ପତିତପାବନ ବାନା ଲାଗି କରିଥିଲେ। ଏହି ବାନା ଲାଗି କରିଥିବା ବରିଷ୍ଠ ସେବାୟତ ମଧୁସୂଦନ ସିଂଘାରୀ କହିଛନ୍ତି। ରାଷ୍ଟ୍ରପତିଙ୍କ ପାଇଁ ହଳଦିଆ ରଙ୍ଗର ବାନା ଲାଗି କରାଯାଇଥିଲା। ଏଥିପାଇଁ ୩୨୨ ଟଙ୍କାର ଧ୍ବଜା ରସିଦ୍‌ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ କଟାଯାଇଥିଲା। ଗତକାଲି ଅପରାହ୍ନ ପ୍ରାୟ ୪ଟାରେ ଏହା ନୀଳଚକ୍ରରେ ଲାଗି ହୋଇଥିଲା। ଚୁନରା ସେବକମାନେ ଏହାକୁ ନୀଳଚକ୍ରରେ ଶୀର୍ଷରେ ଲାଗି କରିଥିଲେ। ସେପଟେ ମହାପ୍ରଭୁଙ୍କ ଦର୍ଶନ ବେଳେ ରାଷ୍ଟ୍ରପତି ଲକ୍ଷେ ତୁଳସୀର ମାଳ ଲାଗି କରିଥିଲେ । ଦୟଣାମାଳି ସେବକ ବସନ୍ତ ରଣା ଓ ଅନ୍ୟମାନେ ଏହାକୁ ପ୍ରସ୍ତୁତ କରିଥିଲେ। ସେହିଭଳି ୧୨ ହାତର ଦୁଇଟି ପଦ୍ମଫୁଲ ମାଳ ବି ରାଷ୍ଟ୍ରପତି ଶ୍ରୀଜିଉଙ୍କୁ ଲାଗି କରିଥିଲେ।

Spread the love