କର୍ଣ୍ଣାଟକ ସରକାରଙ୍କ ବରିଷ୍ଠ ମହିଳା ଅଫିସର୍‌ ହତ୍ୟାକାଣ୍ଡ; ଡ୍ରାଇଭର୍‌ ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାରଙ୍କ ବରିଷ୍ଠ ମହିଳା ଅଧିକାରୀ କେ. ଏସ୍‌. ପ୍ରତିମାଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ବେଙ୍ଗାଲୁରୁ ପୁଲିସ ଆଜି ଜଣେ ଡ୍ରାଇଭର୍‌ଙ୍କୁ ଗିରଫ କରିଛି। ବେଙ୍ଗାଲୁରୁ ପୁଲିସ କମିସନର୍‌ ବି. ଦୟାନନ୍ଦ କହିଛନ୍ତି, ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ସନ୍ଦିଗ୍ଧଙ୍କୁ ହାଜତକୁ ନିଆଯାଇଛି। ସେ ଜଣେ ଡ୍ରାଇଭର୍‌ ଭାବେ ଚାକିରି କରିଥିଲେ ବୋଧହୁଏ ୧୦ ଦିନ ତଳେ ଚାକିରିରୁ ବହିଷ୍କୃତ ହୋଇଥିଲେ।

ବିଶେଷସୂତ୍ରରୁ ସଂଗୃହୀତ ସୂଚନା ଅନୁସାରେ, ଗତ ୫ ବର୍ଷ ହେବ ଠିକାରେ ସରକାରୀ ଚାକିରି କରୁଥିବା ଜଣେ କର୍ମଚାରୀ କହିଛନ୍ତି ଯେ, ମହିଳା ଅଧିକାରୀଜଣକ ଚାକିରିରୁ ବାହାର କରିଦେବାରୁ ଡ୍ରାଇଭର୍‌ ତାଙ୍କୁ ହତ୍ୟା କରିଛି। ଧରାପଡ଼ିଥିବା ଡ୍ରାଇଭର୍‌ର ନାଁ ହେଉଛି କିରଣ। ପ୍ରତିମାଙ୍କୁ ହତ୍ୟା କରିବା ପରେ ସେ ବେଙ୍ଗାଲୁରୁଠାରୁ ପ୍ରାୟ ୨୦୦ କିଲୋମିଟର୍‌ ଦୂର ଚାମରାଜନଗରକୁ ଚାଲିଯାଇଥିଲା।

ପୁଲିସ କହିଛି, ବିଧାନ ସୌଧ ନିକଟ ଡୋଡ୍ଡାକଲ୍ଲାସାନ୍ଦ୍ରା ଅଞ୍ଚଳର ଗୋକୁଳ ନଗରରେ ଥିବା ‘ଭି.ଭି. ଟାୱାର୍ସ’ର ୧୩ଶ ମହଲାରେ ରହୁଥିବା ପ୍ରତିମା କେ. ଏସ୍‌.ଙ୍କ ଶ୍ବାସରୁଦ୍ଧ କରାଯିବା ସହିତ ତଣ୍ଟି କଟାଯାଇଥିବା ପରି ମନେ ହେଉଛି। ଆତତାୟୀମାନେ ଘରେ ଥିବା ଅନ୍ୟ କୌଣସି ସାମଗ୍ରୀ ସ୍ପର୍ଶ କରି ନାହାନ୍ତି। ୩୭ ବର୍ଷୀୟ ପ୍ରତିମା ରାଜ୍ୟ ସରକାରଙ୍କ ଖଣି ଓ ଭୂତତ୍ତ୍ବ ବିଭାଗରେ ଉପନିର୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ।

ଆଗରୁ ସ୍କୁଲ୍‌ ଶିକ୍ଷକ ଥିବା ପ୍ରତିମାଙ୍କ ସ୍ବାମୀ ବେଙ୍ଗାଲୁରୁଠାରୁ ପ୍ରାୟ ୩୦୦ କିଲୋମିଟର୍‌ ଦୂର ପୈତୃକ ନଗରୀ ଶିବମୋଗ୍ଗା ଜିଲ୍ଲା ଅନ୍ତର୍ଗତ ତୀର୍ଥହାଲ୍ଲିରେ ଚାଷବାସ କରି ରହୁଛନ୍ତି। ସେମାନଙ୍କ ପୁଅ ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ଏକ ଆବାସିକ ବିଦ୍ୟାଳୟରେ ରହି ୧୦ମ ଶ୍ରେଣୀରେ ପଢୁଛି। ତେଣୁ, ଶନିବାର ରାତିରେ ଆକ୍ରମଣ ହେବା ସମୟରେ ଘରେ ପ୍ରତିମା ଏକାକିନୀ ଥିଲେ।

Spread the love