ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ମହଙ୍ଗା ହେଲା ପରିବା, ପେଟ୍ରୋଲ ଟାଙ୍କିରେ ପ୍ରବଳ ଭିଡ଼
ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଥିବା ବେଳେ ପରିବହନ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି । ସାରା ରାଜ୍ୟରେ ଡ୍ରାଇଭରଙ୍କ ପିକେଟିଂ ଯୋଗୁଁ ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ । ପରିବା ବୋଝେଇ ଟ୍ରକ ଠାରୁ ଆରମ୍ଭ କରି ତେଲ ଟ୍ୟାଙ୍କର ମଧ୍ୟ ସ୍ୱାଭାବିକ ଭାବେ ଚଳାଚଳ କରୁନାହିଁ । ରାଜ୍ୟ ବାହାରୁ ଆସୁଥିବା ଗାଡ଼ି, ରାଜ୍ୟ ଭିତରେ ଚଳାଚଳ କରୁଥିବା ଗାଡ଼ି ବିଭିନ୍ନ ସ୍ଥାନରେ ଅଟକି ରହିଛି । ସବୁଠୁ ଚିନ୍ତାଜନକ ହୋଇଛି ତେଲ ପରିବହନରେ ଅଚଳାବସ୍ଥା ।
ରାସ୍ତାରେ ଅଟକି ରହିଛି ତେଲ ଟ୍ୟାଙ୍କର । ଆନ୍ଦୋଳନର ଦ୍ୱିତୀୟ ଦିନରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ତେଲ ସରି ସରି ଆସୁଛି । ରାଜଧାନୀର କିଛି ପେଟ୍ରୋଲ ଟାଙ୍କି ବନ୍ଦ ହୋଇଯାଇଥିବା ବେଳେ କିଛି ପେଟ୍ରୋଲ ଟାଙ୍କିରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ପେଟ୍ରୋଲ ପାଇଁ ଦୁଇ ଚକିଆ ଓ ଚାରଚକିଆ ଗାଡ଼ିର ଲମ୍ବା ଲାଇନ ଲାଗିଛି ।
ରାଜ୍ୟରେ ଦୈନିକ ଆବଶ୍ୟକତା
ପେଟ୍ରୋଲ – ୨୭ ଲକ୍ଷ ୫୦ ହଜାର ଲିଟର
ଡିଜେଲ – ୬୦ ଲକ୍ଷ ଲିଟର
ଭୁବନେଶ୍ୱରରେ ଦୈନିକ ଆବଶ୍ୟକତା
ପେଟ୍ରୋଲ – ୩ ଲକ୍ଷ ୩୦ ହଜାର ଲିଟର
ଡିଜେଲ – ୨ ଲକ୍ଷ ୩୫ ହଜାର ଲିଟର
ରାଜ୍ୟରେ ଦୈନିକ ୨୭ ଲକ୍ଷ ୫୦ ହଜାର ଲିଟର ପେଟ୍ରୋଲ ଓ ୬୦ ଲକ୍ଷ ଲିଟର ଡିଜେଲ ଆବଶ୍ୟକ ହୋଇଥାଏ । ଭୁବନେଶ୍ୱରରେ ୩ ଲକ୍ଷ ୩୦ ହଜାର ଲିଟର ଓ ୨ ଲକ୍ଷ ୩୫ ହଜାର ଲିଟର ଡିଜେଲ୍ ଆବଶ୍ୟକ ହୋଇଥାଏ । ପ୍ରତିଦିନ ଅଳ୍ପ କିଛି ତେଲ ପେଟ୍ରୋଲ ଟାଙ୍କିରେ ବଳିଥାଏ । ପରଦିନର ସପ୍ଲାଏ ଉପରେ ନିର୍ଭର କରିଥାନ୍ତି ଟାଙ୍କି । ତେଣୁ ପରିବହନ ବାଧାପ୍ରାପ୍ତ ହେଲେ ସମସ୍ୟା ସୃଷ୍ଟି ହୋଇଥାଏ ।
ଆନ୍ଦୋଳନ ଆଗକୁ ଜାରି ରହିଲେ ଖୁବଶୀଘ୍ର ସରିଯିବ ପେଟ୍ରୋଲ ଓ ଡିଜେଲ । ଆଉ ଠପ୍ ହୋଇଯିବ ସଂପୂର୍ଣ୍ଣ ପରିବହନ ବ୍ୟବସ୍ଥା ।
କେଉଁଠୁ ଓ କେମିତି ଆସେ ତେଲ?
ପାରାଦୀପରେ ବିଶୋଧନ ପରେ ପାରାଦୀପ, ଝାରସୁଗୁଡା, ଜଟଣୀ ଓ ବାଲେଶ୍ୱର ଡିପୋକୁ ଯାଏ । ଟ୍ୟାଙ୍କର ଜରିଆରେ ବିଭିନ୍ନ ଜିଲ୍ଲାକୁ ଯାଇଥାଏ ପେଟ୍ରୋଲ ଓ ଡିଜେଲ୍ । ଅଶୋଧିତ ତେଲ ଜାହାଜ ଯୋଗେ ପାରାଦୀପରେ ପହଁଚିଥାଏ, ସେଠାରେ ବିଶୋଧନ ହେବା ପରେ, ଅଟକ ରହିଥିବା ଟ୍ୟାଙ୍କର ଯୋଗେ ପାରାଦୀପ, ବାଲେଶ୍ୱର ଝାରସୁଗୁଡା ଓ ଜଟଣୀ ଡିପୋରୁ ସାରା ରାଜ୍ୟକୁ ପରିବହନ କରାଯାଏ ପେଟ୍ରୋଲ ଓ ଡିଜେଲ । ତେବେ ଭୁବନେଶ୍ୱର ଓ କଟକରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁଁ ପରିବା ଦରରେ ନିଆଁ ଲାଗିଛି । ଆନ୍ଦୋଳନ ଯୋଗୁଁ ବାହାରୁ କଟକ, ଭୁବନେଶ୍ୱରକୁ ସ୍ୱାଭାବିକ ଭାବେ ପରିବା ଗାଡି ଆସିପାରୁନାହିଁ ।
ପରିବା ବଜାରରେ ପ୍ରଭାବ
ଗତକାଲି ଆଜି
ପୋଟଳ ୮୦ ଟଙ୍କା ୧୪୦ ଟଙ୍କା
ଭେଣ୍ଡି ୪୦ ଟଙ୍କା ୫୦ ଟଙ୍କା
ଜହ୍ନି ୪୦ ଟଙ୍କା ୫୦ ଟଙ୍କା
ବାଇଗଣ ୩୦ ଟଙ୍କା ୪୦ ଟଙ୍କା
କଲରା ୩୦ ଟଙ୍କା ୪୦ ଟଙ୍କା
ଟମାଟୋ ୨୦ ଟଙ୍କା ୨୫ ଟଙ୍କା
ଆଉ ଏହାର ସୁଯୋଗ ନେଇ ପରିବା ବେପାରୀ ମନ ଇଛା ଦର ବଢାଇ ଦେଇଛନ୍ତି । କଟକ ଛତ୍ରବଜାର ପାଇକାରୀ ବଜାରରେ ଏହାର ପ୍ରଭାବ ପଡ଼ିଛି । ତେଣୁ ସବୁଆଡେ ପରିବା ଦର ବଢ଼ି ଚାଲିଛି । ଗୋଟିଏ ଦିନରେ ୨୫ରୁ ୩୦ ପ୍ରତିଶତ ଦର ବୃଦ୍ଧି ପାଇଛି । ଏପଟେ ବଜାରରେ ମଧ୍ୟ ପରିବା ପରିମାଣ କମ୍ ଥିବା ଦେଖିବାକୁ ମିଳୁଛି । ଯଦି ସମସ୍ୟାର ସମାଧାନ ନହୁଏ, ତେବେ ଆକାଶଛୁଆଁ ହେଇପାରେ ପରିବା ଦର । ଅନ୍ୟ ସାମଗ୍ରୀ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବା ଆଶଙ୍କା ବୃଦ୍ଧି ପାଉଛି । ମାଛ, ଚିକେନ୍, ଅଣ୍ଡାର ଅଭାବ ପରିଲଖିତ ହେବା ସହ ଦର ମଧ୍ୟ ବୃଦ୍ଧି ପାଇବ ।
ସେହିପରି ରନ୍ଧନ ଗ୍ୟାସ ପରିବହନ ମଧ୍ୟ ବାଧାପ୍ରାପ୍ତ ହୋଇଛି । ରାସ୍ତା ଅବରୋଧ ହଟାଇବାକୁ ପୁଲିସ ଓ ପ୍ରଶାସନ ଉଦ୍ୟମ କରୁଛି । ଡ୍ରାଇଭର ମହାସଂଘର ଆନ୍ଦୋଳନ ଯଦି ଆଗକୁ ବଢ଼େ, ତେବେ ସବୁ କ୍ଷେତ୍ରରେ ଏହାର ପ୍ରଭାବ ପଡିବ । ସାଧାରଣ ଯାତ୍ରୀ ପରିବହନ ଠାରୁ ଆରମ୍ଭ କରି ଅଗ୍ନିଶମ, ଆମ୍ବୁଲାନ୍ସ ସେବା ଭଳି ଅତ୍ୟାବଶ୍ୟକ ସେବା ମଧ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି ।