ମୂର୍ତ୍ତି ଉଚ୍ଚତା ସିନା ବଢିଲାନି, ହେଲେ ଉଚ୍ଛୁଳିଲାଣି କଟକ ବିଜେଡି ରାଜନୀତି, ଏବେ ମୁହାଁମୁହିଁ ଭର୍ତ୍ତୁହରି-ସୁବାସ ସିଂହ
କଟକ ୧୮।୦୯: ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ସମ୍ପର୍କିତ ମାମଲା ଉପରେ ହାଇକୋର୍ଟ ପୂର୍ଣ୍ଣଛେଦ ଟାଣି ସାରିଛନ୍ତି। କିନ୍ତୁ କଟକ ବିଜେଡି ନେତାଙ୍କ ଭିତରେ ରାଜନୀତିରେ ପୂର୍ଣ୍ଣଛେଦ ପଡୁନି । କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଭିତରେ ମୁହାଁମୁହିଁ ପରେ ଏବେ ଏହା ଭିତରକୁ ଧସେଇ ପସିଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂ । ଭର୍ତ୍ତୃହରିଙ୍କ ବୟାନ ବିରୋଧୀଙ୍କୁ ରାଜନୀତି କରିବାର ମଉକା ଦେଲା କହି ସାଂସଦଙ୍କୁ ଟାର୍ଗେଟ୍ କରିଥିବା ବେଳେ ସୁବାସଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି ଭର୍ତ୍ତୃହରି ।
ମୂର୍ତ୍ତି ଉଚ୍ଚତା ସିନା ବଢିଲାନି । ହେଲେ ଉଚ୍ଛୁଳିଲାଣି କଟକ ବିଜେଡି ରାଜନୀତି । ପ୍ରସଙ୍ଗକୁ ନେଇ ପ୍ରଥମେ ମୁହାଁମୁହିଁ ହୋଇଥିଲେ ବିଜେଡିର ଦୁଇ ନେତା । କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଆଉ ଏବେ ଏହି ବିବାଦକୁ ଧସେଇ ପଶିଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂହ । ସାଂସଦ ଭର୍ତ୍ତୃହରିଙ୍କ ବୟାନ ମୂର୍ତ୍ତି ବିବାଦ ବଢାଇବାରେ ବଳ ଦେଇଛି ବୋଲି କହିଛନ୍ତି ସୁବାସ । ସାଂସଦଙ୍କ ବୟାନ ବିରୋଧୀଙ୍କୁ ରାଜନୀତି କରିବାକୁ ମଉକା ଦେଲା ବୋଲି ଅଭିଯୋଗ କରିଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂ ।
ଦଶହରାରେ ମା ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବଢିବା ସପକ୍ଷରେ ଯୁକ୍ତି ବାଢିଥିଲେ ସାଂସଦ ଭର୍ତ୍ତୃହରି ମହତାବ। ଏମିତିକି ଭର୍ତ୍ତୃହରିଙ୍କ ନେତୃତ୍ବରେ ଏକ ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ମଧ୍ୟ ସ୍ଥିର ହୋଇଥିଲା । ହେଲେ ତା`ପୂର୍ବରୁ ବାଲୁ ବଜାର ପୂଜା କମିଟିର ଆବେଦନକୁ ଖାରଜ କରିଦେଲେ ହାଇକୋର୍ଟ । ଏମିତିରେ କଟକରେ ମୂର୍ତ୍ତି ଉଚ୍ଚତାକୁ ନେଇ ମୁଣ୍ଡ ଟେକିଥିବା ବିବାଦରେ ପୂର୍ଣ୍ଣଛେଦ ପଡ଼ିଲା ବୋଲି କୁହାଗଲା । ହେଲେ ସୁବାସ ସିଂଙ୍କ ମନ୍ତବ୍ୟ ଏବେ କଟକ ବିଜେଡି ରାଜନୀତି ନିଆଁରେ ଘିଅ ଢାଳିଛି । ଗୋଟେପଟେ କଟକ ସାଂସଦ ଥିବାବେଳେ କଟକର ବାକି ବିଜେଡି ନେତା ଆଉଗୋଟେ ପଟେ । ତେବେ ସୁବାସ ସିଂହଙ୍କ ଆରୋପର ଜବାବ୍ ବେଶ୍ ଚତୁରତାର ସହ ରଖିଛନ୍ତି ସାଂସଦ ଭାର୍ତୁହରି ମହତାବ । କହିଛନ୍ତି, ହାତରେ ଆଉ ସମୟ ନାହିଁ , ଆଶା ଠାରୁ ଆଶଙ୍କା ଅଧିକ ହୋଇଗଲା । ସେପଟେ କଟକ ବିଜେଡି ନେତାଙ୍କ ପରସ୍ପରକୁ ଟାର୍ଗେଟ ଦେଖି ଏଥିରେ ନାକ ପୂରାଇଛି କଂଗ୍ରେସ ।