ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ବାରିପଦା, ୧୮/୦୬: ମୟୂରଭଞ୍ଜ ଜିଲ୍ଲା ଝାରପୋଖୋରୀଆ ଥାନା ଅଧିନ ଜାଉନ୍ତି ଗ୍ରାମରେ ଗତ ୨୦୧୫ ମସିହାରେ ଘଟିଥିବା ଏକ ୮ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରକରି ରାୟ ଶୁଣାଇଛନ୍ତି କୋର୍ଟ । ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟର ବିଚାରପତି ଅଭିଯୁକ୍ତ ଚାଉଳଘେରି ଗ୍ରାମର ଶୁକୁରା ସିଂ  (୪୦)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ଅସମୀକୁ ପୋକ୍ସ ଆଇନ ଧାରା ୦୬ ରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇ ଥିବା ବେଳେ, ଜରିମାନା ଅନାଦେୟ ୦୩ ମାସ ଅଧିକ ଜେଲଦଣ୍ଡ ଶୁଣାଇଛନ୍ତି ।

ଏଥି ସହିତ ପୋସ୍କୋ ଆଇନର ଧାରା ୪ ଅନୁଯାୟୀ ଆସାମୀକୁ ୭ବର୍ଷ ସଶ୍ରମ କାରାଦଣ୍ଡ ସହ ୩ହଜାର ଟଙ୍କା ଜୋରିମାନାର ଦଣ୍ଡ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ୧ମାସ ଅଧିକ କାରାଦଣ୍ଡ ସଜା ଦେଇଛନ୍ତି କୋର୍ଟ । ଆସାମୀ ଗତ ୦୧.୦୭.୨୦୧୫ ରିଖ ଠାରୁ ବାରିପଦା ସର୍କଲ ଜେଲରେ ବିଚାର ବିଭାଗୀୟ କଏଦୀ ଭାବେ ରହିଆସୁଥିବାର ଜଣାଯାଇଛି । ଉକ୍ତ ମାମଲାକୁ ସରକାରୀ ଓକିଲ ଅଭିନ୍ନ ପଟ୍ଟନାୟକ ପରିଚାଳନା କରୁଥିଲେ ।

ଘଟଣା ଅନୁଯାୟୀ ନାବାଳିକାଙ୍କ ପିତାଙ୍କ ପକ୍ଷରୁ ଲିଖିତ ଅଭିଯୋଗ ଅନୁଯାୟୀ ତାଙ୍କ ୮ ବର୍ଷର ନାବାଳିକା ଝିଅ ଘରେ ଥିବା ବେଳେ, ଅଭିଯୁକ୍ତ ତାକୁ ଜୋର ଜବରଦସ୍ତ ବନ୍ଧ ଆଡକୁ ନେଇ ଯାଇ ବଳ ପୂର୍ବକ ମଦ ପିଆଇବା ସହିତ ନିଜେ ମଧ୍ୟ ମଦ୍ୟପାନ କରି ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ସମୟରେ ଜଣେ ବ୍ୟକ୍ତି ସେଠାରେ ପହଂଚି ଯିବାରୁ ଆସାମୀ ନାବାଳିକାକୁ କ୍ଷତାକ୍ତ ଅବସ୍ଥାରେ ଛାଡି ପଳାଇ ଯାଇଥିଲା । ଉକ୍ତ ବ୍ୟକ୍ତି ଜଣକ ନାବାଳିକାର ଘରଲୋକଙ୍କୁ ଖବର ଦେବା ପରେ ଝିଅକୁ ଉଦ୍ଧାର କରି ଘରଲୋକେ ଚିକିତ୍ସା କରାଇବା ସହିତ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଫରୱାର୍ଡ କରିଥିଲା । ଏହି ମାମଲାରେ ମାନ୍ୟବର କୋର୍ଟ ୧୬ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଓ ଅନ୍ୟାନ୍ୟ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

Spread the love