କାନ୍ଦିଲେ ଦୌଡରାଣୀ ଦୂତୀ ଚାନ୍ଦ,କହିଲେ ନ୍ୟାୟ ନ ମିଳିଲେ ଓଡ଼ିଶା ଛାଡିବି

କାନ୍ଦି ପକାଇଲେ ଦୌଡରାଣୀ। କହିଲେ ନ୍ୟାୟ ନ ମିଳିଲେ ଓଡ଼ିଶା ଛାଡିବି। ଭାରତକୁ ଅଲମ୍ପିକ୍ସରେ ୨-୨ ଥର ପ୍ରତିନିଧିତ୍ୱ କରିଥିବା ଦୌଡ ରାଣୀ ଦୂତୀ ଚାନ୍ଦ ଆଜି ଛଳ ଛଳ ଆଖିରେ ନ୍ୟାୟ ମାଗିଛନ୍ତି । କହିଛନ୍ତି ପିଲାଟି ବେଳୁ ବହୁ ସଂଘର୍ଷ ଓ ପରିଶ୍ରମ କରି ଅଲିମ୍ପିଆନ ହୋଇପାରିଛି। ଭାରତରେ ୩୭ ବର୍ଷ ପରେ ଜଣେ ଧାବିକା ଭାବେ ସେ ଅଲମ୍ପିକ୍ସରେ ଅଂଶ ଗ୍ରହଣ କରିପାରିଛନ୍ତି । କିନ୍ତୁ ସେ ଯେତେବେଳେ ଅଲମ୍ପିକ୍ସରେ ବିଶ୍ୱସ୍ତରୀୟ ଆଥଲେଟ୍‌ଙ୍କ ସହ ପ୍ରତିଯୋଗିତା କରୁଥିଲେ, ସେ ସମୟରେ ଦୁଇ ଜଣ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ବିଭିନ୍ନ ନକରାତ୍ମକ ଟିପଣୀ ଦେଉଥିଲେ ।

ଜଣେ ୱେବ୍ ଚ୍ୟାନେଲ ଏଡିଟର ସୁଧାଂଶୁ ଶେଖର ରାଉତ ଏବଂ ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନଙ୍କ ନାଁ ନେଇଛନ୍ତି ଦୂତୀ ଚାନ୍ଦ। ଦୂତୀ କହିଛନ୍ତି ‘‘ଜୁଲାଇ ୩୧ରେ ଶହେ ମିଟର ଦୌଡ ଶେଷ ହେବା ପରେ ଅଗଷ୍ଟ ୨ ତାରିଖରେ ମୋର ଦୁଇ ଶହ ମିଟର ଦୌଡ ପାଇଁ ପ୍ରସ୍ତୁତ ହୋଉଥିବା ବେଳେ ଜୁଲାଇ ୩୧ରୁ ସେମାନେ ସାମାଜିକ ଗଣମାଧ୍ୟମରେ ଲେଖିବା ଆରମ୍ଭ କଲେ ଓ ମନ୍ତବ୍ୟ ଦେଲେ’’।

ଏହା ସହ ଦୂତୀ କହିଛନ୍ତି  ‘‘ମୋ କୋଚ୍‌ ସହ ଯେଉଁମାନେ ତାଙ୍କୁ ସାହାଯ୍ୟ କରୁଛନ୍ତି ତାଙ୍କୁ ମଧ୍ୟ ବଦନାମ କରିବାକୁ ଚେଷ୍ଟା କରାଯାଇଥିଲା। ନିଜ ଦେଶର ଖେଳପ୍ରେମୀ ସର୍ବଦା ଖେଳାଳିଙ୍କୁ ଉତ୍ସାହିତ କରନ୍ତି। କିନ୍ତୁ ଦୁଃଖର ବିଷୟ ନକରାତ୍ମକ ମନ୍ତବ୍ୟ ଦେଇ ମୋତେ ନିରୁତ୍ସାହିତ କରୁଛନ୍ତି । ଯଦି ବାରମ୍ବାର ଏହି ଭଳି ମୋତେ ମାନସିକ ଭାବେ ନିର୍ଯ୍ୟାତନା ଦିଆଯାଏ ତେବେ କେମିତି ମୁଁ ଆଗାମୀ କ୍ୟାରିଅର ପ୍ରତି ଫୋକସ କରିବି ? ’’ । ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦୂତୀ ଦାବି କରିଛନ୍ତି  ।

Spread the love