ଗାଁକୁ ଫେରିଲେ ଦୂତୀ…ପାଳନ କଲେ ଖୁଦୁରୁକୁଣୀ ଓଷା, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ଏତେ ବାଦ ବିଦାଦ ଭିତରେ ସବୁ କିଛିକୁ ଭୁଲି, ଗାଁକୁ ଫେରିଲେ ଦୌଡରାଣୀ ଦୂତୀ ଚାନ୍ଦ । ନିଜ ଗାଁରେ ଖୁଦୁରୁକୁଣୀ ଓଷା ପାଳିଲେ ଦୂତୀ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସ୍ଥିତ ଚକଗୋପାଳପୁରକୁ ଯାଇ ଗାଁ ଯୁବତୀଙ୍କ ସହ ଦୂତୀ କରିଛନ୍ତି ଖୁଦୁରୁକୁଣୀ ଓଷା । ରବିବାର ଖୁଦୁରୁକୁଣୀ ଓଷା ପାଇଁ ସେ ତାଙ୍କ ଗାଁରେ ମାଆ ମଙ୍ଗଳାଙ୍କ ପୂଜା କରିବା ସହ ଭାଇମାନଙ୍କ ଦୀର୍ଘ ଜୀବନର କାମନା କରିଛନ୍ତି ।ଏଥିସହ ପରିବାର ଓ ଗାଁ ଯୁବତୀଙ୍କ ସହ ସମୟ ବିତାଉଥିବା ନେଇ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଦୂତୀ । ନିଜ ଫେସବୁକ ପେଜରେ ଦୂତୀ ଲେଖିଛନ୍ତି, ମୁଁ ପ୍ରତି ବର୍ଷ ଖୁଦୁରୁକୁଣୀ ଓଷାରେ ଗାଁକୁ ଆସେ ଆଉ ଖୁସି ମନାଏ । ପ୍ରତି ବର୍ଷ ଧୁମଧାମରେ ଖୁଦୁରୁକୁଣୀ ଓଷା ପାଳନ ହୁଏ । ମୁଁ ଅନେକ ସିନେ ତାରକା ଓ ସେଲିବ୍ରିଟିଙ୍କୁ ଗାଁକୁ ନିମନ୍ତ୍ରଣ କରେ । ଆଉ ଭୋଜିର ଆୟୋଜନ କରି ସମସ୍ତଙ୍କୁ ଖାଇବାକୁ ଦିଏ । ହେଲେ କରୋନା ପାଇଁ ଗତ ୨ ବର୍ଷ ହେବ ଏସବୁ କିଛି ହୋଇପାରୁନି । ମାତ୍ର ମୁଁ ଖୁଦୁରୁକୁଣୀ ସମୟରେ ଗାଁକୁ ଆସିବାକୁ କେବେ ଭୁଲେନି । ମୁଁ ମୋ ପରିବାର ଲୋକଙ୍କ ସହ ମିଶି ଖୁସି ମନାଇବା ସହ ବଡମାନଙ୍କ ଆଶିଷ ଲୋଡିଛି ବୋଲି ଦୂତୀ ଲେଖିଛନ୍ତି ।

ଅନ୍ୟପଟେ ଗତକାଲି ଗୁରୁ ଦିବସ ଥିବାରୁ ଗୁରୁଙ୍କୁ ମନେପକାଇଥିଲେ ଧାବିକା ଦୂତୀ ଚାନ୍ଦ । ଫେସବୁକରେ ଗୁରୁଙ୍କୁ ପ୍ରଣାମ ଜଣାଇଥିଲେ । ଭଉଣୀ, ବାପା, ମା, ଅଚ୍ୟୁତ୍ ସାମନ୍ତ ଓ କୋଚଙ୍କୁ ମନେପକାଇ ଲେଖିଥିଲେ, ଆଥଲେଟ୍ ଜୀବନରେ ମୋ ବଡ ଭଉଣୀଠାରୁ ବହୁତ କିଛି ଶିଖିଛି । ସେ ମୋ ଗୁରୁ । ଆମ ଭିତରେ ଯେତେ କିଛି ସମସ୍ୟା ରହିଲେ ବି ସେ ମୋ ବଡ ଭଉଣୀ । କ୍ରୀଡାବିତ ହିସାବରେ ଯିଏ ମୋତେ ପ୍ରୋତ୍ସାହନ ଦେଇଛି । ମୋ ବାପା ମୋ ମା ମତେ ଜନ୍ମ ଦେଇ ସତମାର୍ଗ ଦେଖାଇଛନ୍ତି । କୋଚ ନୀଳମାଧବ ଦେଓ ଓ ଚିତରଞ୍ଜନ ମହାପାତ୍ର, ଶିବ ମିଶ୍ରଙ୍କ ଠାରୁ ଅନେକ କିଛି ଶିଖିଛି । ଅଚ୍ୟୁତ୍ ସାମନ୍ତ ଦିଗଦର୍ଶନ ଦେଇଛନ୍ତି । ଦୂତି ନିଜ ଫେସବୁକରେ ଏସବୁ ସେୟାର କରିବା ପରେ ତାଙ୍କର ଶୁଭେଚ୍ଛୁ ମାନେ ତାଙ୍କୁ ବିଭିନ୍ନ କମେଣ୍ଟ ଦେଇ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି। ଏପଟେ ତାଙ୍କ ନିନ୍ଦୁକ ମାନଙ୍କ ପାଇଁ ଏହା ଉଚିତ ଜବାବ ବୋଲି କୁହାଯାଇଛି।

Spread the love