ଡ୍ୟୁଟିରେ ଥାଇ ଅଙ୍ଗନବାଡି, ଆଶା କର୍ମୀଙ୍କ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ଭତ୍ତା

କରୋନା ମହାମାରୀ ଆଜି ସାରା ବିଶ୍ୱରେ ଅଦ୍ଭୁତପୂର୍ବ ପରିସ୍ଥିତି ସୃଷ୍ଟି କରିଛି । ଏହାର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ବିିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଖୋଲିବା ସହ ଟିଏମସି କୋଭିଡ କେୟାର ହୋମ ଆଦି ଖୋଲି କୋଭିଡ ରୋଗୀମାନଙ୍କୁ ସେବା ଯୋଗାଇ ଦେଉଛନ୍ତି । ଏହାସହିତ ଟେଷ୍ଟିଂ, ଟ୍ରାକିଂ କାମ ମଧ୍ୟ ଜାରି ରହିଛି ।

ଏହିସବୁ କାର୍ଯ୍ୟରେ ଯେଉଁମାନେ ଆଗଧାଡିରେ ରହି ସେବା ଯୋଗାଉଛନ୍ତି, ସେହି କୋଭିଡ ଯୋଦ୍ଧାମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଆମର ଆଶା ଓ ଅଙ୍ଗନବାଡି କର୍ମୀ ଭଉଣୀମାନେ । ବାସ୍ତବିକ୍ ସେମାନଙ୍କ ମାନବିକତା, ତ୍ୟାଗ ଓ ନିଷ୍ଠାର ତୁଳନା ନାହିଁ । ସେମାନଙ୍କୁ ମୁଁ ଏହି ଅବସରରେ ଆନ୍ତରିକ ସମ୍ମାନ ଜଣାଉଛି । ଯେଭଳି ପରିସ୍ଥିତିରେ ସେମାନେ ଦାୟିତ୍ୱ ତୁଲାଉଛନ୍ତି, ତାହା ଆମ ସମସ୍ତଙ୍କ ପାଇଁ ପ୍ରେରଣା ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆମର ଏହି କୋଭିଡ ଯୋଦ୍ଧାମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିଛନ୍ତି । ବିଭିନ୍ନ ଜିଲ୍ଲାର ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ଟେଲିଫୋନ କରି ସେମାନଙ୍କ ଭଲମନ୍ଦ, ସୁବିଧା ଅସୁବିଧା ପଚାରି ବୁଝୁଛନ୍ତି । ସେହି ଆଶା ଓ ଅଙ୍ଗନବାଡି କର୍ମୀ ଭଉଣୀ ମାନଙ୍କ ପରାମର୍ଶକୁ ଭିତିକରି ମାନ୍ୟବର ମୁଖ୍ୟମନ୍ତ୍ରୀ ନିମ୍ନୋକ୍ତ ନିଷ୍ପତି ଗ୍ରହଣ କରିଛନ୍ତି ।କୋଭିଡ ଯୁଦ୍ଧରେ ସାମିଲ ହୋଇ କାମ କରୁଥିବା କେହି ଅଙ୍ଗନବାଡି କର୍ମୀ ଭଉଣୀ ଯଦି ସଂକ୍ରମିତ ହୋଇ ମୃତ୍ୟୁବରଣ କରନ୍ତି, ତେବେ ସେ କ୍ଷେତ୍ରରେ ତାଙ୍କ ସ୍ୱାମୀ କିମ୍ବା ନିକଟତମ ଆତ୍ମୀୟଙ୍କୁ ମାସିକ ୭୫୦୦ ଟଙ୍କା ସହାୟତା ଯୋଗାଇ ଦିଆଯିବ । ଅଙ୍ଗନବାଡି କର୍ମୀ ଜଣକ ଯଦି ବଂଚି ଥାନ୍ତେ, ତାଙ୍କୁ ଯେବେ ୬୦ବର୍ଷ ହୋଇଥାନ୍ତା, ସେ ପର୍ଯ୍ୟନ୍ତ ତାଙ୍କ ସ୍ୱାମୀ/ନିକଟତମ ଆତ୍ମୀୟ ଏହି ସହାୟତା ପାଇବେ ।

ସେହିଭଳି କୋଭିଡ ଯୁଦ୍ଧରେ କାମ କରୁଥିବାବେଳେ ଯଦି କୌଣସି ଭଉଣୀ ମୃତ୍ୟୁବରଣ କରନ୍ତି, ସେ କ୍ଷେତ୍ରରେ ତାଙ୍କ ସ୍ୱାମୀ/ନିକଟତମ ଆତ୍ମୀୟ ଉପରୋକ୍ତ ପ୍ରକାରେ ମାସିକ ୫୦୦୦ ଟଙ୍କା ଲେଖାଏଁ ସହାୟତା ପାଇପାରିବେ ।

ପୂର୍ବରୁ ରାଜ୍ୟ ସରକାର ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କ ସମେତ ସବୁ କୋଡିଭ୍ ଯୋଦ୍ଧାଙ୍କ ମୃତ୍ୟୁ କ୍ଷେତ୍ରରେ ୫୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି ।

Spread the love