ଆଜିଠୁ ରାଜଧାନୀରେ ଚାଲିବ ଇ-ବସ୍‍

ଭୁବନେଶ୍ୱର :  ‘ମୋ ବସ୍‍’ର ସଫଳତା ପରେ ରାଜ୍ୟରେ ପ୍ରଥମଥର ପାଇଁ ଆଜି ଠାରୁ ରାଜଧାନୀରେ ଇ-ବସ୍‍ ସେବା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ସହରରେ ୧୦ଟି ଇ-ବସ୍‍ ଚଳାଚଳ କରିବାକୁ ଥିବା ବେଳେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଉଦ୍‍ଘାଟନ କରିବେ। ଇ-ବସ୍‍ ସହିତ ଇ-ରିକ୍ସା ମଧ୍ୟ ଚଳାଚଳ କରିବ ବୋଲି ‘ମୋ ବସ୍‍’ ପରିଚାଳନା ସଂସ୍ଥା କ୍ରୁଟ୍‍ ପକ୍ଷରୁ କୁହାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଚାଲିବାକୁ ଥିବା ୧୦ଟି ଇ-ବସ୍‍ ୨ ମାସ ହେବ ଭୁବନେଶ୍ୱରରେ ପହଞ୍ଚି ସାରିଥିବା ବେଳେ ଟ୍ରାଏଲ୍‍ ରନ୍‍ ଜାରି ରହିଥିଲା। ଏହି ୧୦ଟି ଏସି ବସ୍‍ର ଚାଳନା ପାଇଁ ‘ମୋ ବସ୍‍’ର ସ୍ୱତନ୍ତ୍ର କ୍ୟାପଟେନ୍‍ଙ୍କୁ ଚୟନ କରାଯାଇ ତାଲିମ ପ୍ରଦାନ କରାଯାଉଥିଲା।ବର୍ତ୍ତମାନ ଭୁବନେଶ୍ୱର ସମେତ କଟକ ଓ ପୁରୀକୁ ଜାରି ରହିଥିବା ‘ମୋ ବସ’କୁ ବହୁ ପରିମାଣରେ ଆଦୃତି ମିଳିଛି। ରାଜଧାନୀ ସମେତ ଅନ୍ୟ କିଛି ସହରାଞ୍ଚଳରେ ପରିବହନ କ୍ଷେତ୍ରରେ କ୍ରୁଟ୍‍ର ‘ମୋ ବସ’ ସେବା ଅତ୍ୟାଧୁନିକ ଓ ଆରାମଦାୟକ ହୋଇପାରିଛି। ସହରୀ ଯାତାୟାତ ସେବାରେ ସଂସ୍କାର ଆଣିଥିବା ଏହି ସେବା ଜାତୀୟ ସ୍ତରରେ ମଡେଲ୍‍ ହୋଇପାରିଛି।ପ୍ରଥମ ପର୍ଯ୍ଯାୟରେ ଏହି ଇ–ବସ୍ ସେବା ରୁଟ ନମ୍ବର ୯, ୧୧, ୧୨ ଓ ୨୩ ରେ ଚଳାଚଳ କରିବ। ପ୍ରଥମ ୩ଦିନ ଅର୍ଥାତ ଜୁଲାଇ ୨୯, ୩୦ ଓ ୩୧ ତାରିଖରେ ଯାତ୍ରୀମାନେ ମାଗଣା ଯାତାୟାତ କରିପାରିବେ। ଏ ନେଇ ଆଜି କ୍ରୃଟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।ବର୍ତ୍ତମାନ ୩୨ଟି ରୁଟ୍‍ରେ ଚଳାଚଳ କରୁଥିବା ୨୨୫ଟି ବସ୍‍ରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିପିଲି, କୋଣାର୍କ ଓ ପୁରୀ ଭଳି ସହର ଦୈନିକ ହାରାହାରି ୧.୫ ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି। ଏହି ବସ୍‍ଗୁଡ଼ିକ ସୁ-ବ୍ୟବସ୍ଥିତ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଛି। ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ବସ୍‍ ଗଡ଼ିବାକୁ ଥିବା ବେଳେ ଖୁବ୍‍ଶୀଘ୍ର ଆଉ ୪୦ ବସ୍‍ ଏଥିରେ ଯୋଡ଼ି ହୋଇ ମୋଟ୍‍ ୫୦ଟି ଇ-ବସ୍‌ ଚାଲିବ ବୋଲି ଜଣାପଡ଼ିଛି।ଇ-ବସ୍‍ ସେବା ସହିତ ମୋ ଇ-ରାଇଡ୍‍ ମଧ୍ୟ ଆରମ୍ଭ ହେବ। ଏହି ସେବାରେ ଲୋକମାନେ ଇ-ରିକ୍ସା ଜରିଆରେ ମୋ ବସ୍‍ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ବସ୍‍ ଧରି ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ।

Spread the love