ଇ- ଡେଟିଂ କରୁଥିଲେ ସାବଧାନ

ବର୍ତ୍ତମାନ ଇଲେକ୍ଟ୍ରୋନିକ୍‌ ଯୁଗରେ ସବୁକିଛି ହେଉଛି ଅନ୍‌ଲାଇନ୍‌ରେ,ଯଥା-ସପିଙ୍ଗ, ଇଲେକ୍ଟ୍ରିକ ବିଲ ,କେବୁଲ ବିଲ,ଚାଷ ସମ୍ବଧିୟ ବିଲ ଏମିତି ଆହୁରି ଅନେକ ତାହା ସହ ବାଦ୍‌ପଡ଼ିନି ବନ୍ଧୁତା ଆଉ ପ୍ରେମ। ତେବେ ଏମିତିରେ ଦିନକୁଦିନ ବିଭିନ୍ନ ଇ- ଡେଟିଂ ସାଇଟ୍‌ର ମଧ୍ୟ ଚାହିଦା ବଢ଼ୁଥିବାର ଦେଖିବାକୁ ମିଳୁଛି। ଯଦି ଆପଣ ବି ବନ୍ଧୁତା କରିବା ଏବଂ ପରସ୍ପରକୁ ଦେଖାକରିବା ଲାଗି ଏଭଳି ସାଇଟ୍‌ ବ୍ୟବହାର କରୁଛନ୍ତି, ତେବେ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ଆଦୌ ଭୁଲନ୍ତୁ ନାହିଁ…

କୌଣସି ଡେଟିଂ ସାଇଟ୍‌ରେ ପ୍ରୋଫାଇଲ୍‌ କ୍ରିଏଟ୍‌ କରିବା ପୂର୍ବରୁ ତାହା ରେଜିଷ୍ଟର୍ଡ ସାଇଟ୍‌ କି ନୁହେଁ ଜାଣନ୍ତୁ। ଏକାଧିକ ଏଭଳି ସାଇଟ୍‌ରେ ନିଜର ସମସ୍ତ ତଥ୍ୟ ଦେବାର ଭୁଲ୍‌ ଆଦୌ କରନ୍ତୁ ନାହିଁ। ସୁରକ୍ଷା ଦୃଷ୍ଟିରୁ ଯଥାସମ୍ଭବ ପ୍ରାଇଭେସି ମେଣ୍ଟେନ୍‌ କରନ୍ତୁ।
ଏଭଳି ସାଇଟ୍‌ରେ ଆସୁଥିବା ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ କରିବା ସମୟରେ ତାହା ଫେକ୍‌ ନା ବାସ୍ତବ ଜାଣିବାକୁ ଚେଷ୍ଟା କରନ୍ତୁ।

ତାହା ଲୋକାଲ କିମ୍ବା ଗ୍ଲୋବାଲ ପ୍ରଥମେ ଜାଣନ୍ତୁ। କାରଣ କେହି କେହି ଅନ୍ୟର ଭାବନା ସହିତ ଖେଳିବାର ମଜା ନେବା ଲାଗି ଫେକ୍‌ ପ୍ରୋଫାଇଲ୍‌ ପ୍ରସ୍ତୁତ କରିଥାନ୍ତି ଏବଂ ଡେଟିଂ ବାହାନାରେ ଡାକି ବିଭିନ୍ନ ଅପରାଧ ଘଟାଇଥା’ନ୍ତି।

ଯଦି ଆପଣଙ୍କ ଅନ୍‌ଲାଇନ୍‌ ବନ୍ଧୁ କମ୍‌ ଦିନ ମଧ୍ୟରେ ଅଧିକ ନିବିଡ଼ ହେବାକୁ ଚେଷ୍ଟା କରୁଛନ୍ତି କିମ୍ବା ଆପଣଙ୍କ ଫଟୋର ଆବଶ୍ୟକତାରୁ ଅଧିକ ପ୍ରଶଂସା କରୁଛନ୍ତି, ଆପଣଙ୍କ ନିଜ ଜୀବନ ବିଷୟରେ ସମସ୍ତ ତଥ୍ୟ ଜାଣିବା ଲାଗି ଇଚ୍ଛା ପ୍ରକାଶ କରୁଛନ୍ତି ଏବଂ ନିଜ ସମ୍ପର୍କରେ ଠିକ୍‌ ତଥ୍ୟ ଦେବା କିମ୍ବା କହିବାରେ କୁଣ୍ଠାବୋଧ କରୁଛନ୍ତି; ତେବେ ସତର୍କ ହୋଇଯାଆନ୍ତୁ। ସନ୍ଦେହ ହେବା ମାତ୍ରେ ଉକ୍ତ ପ୍ରୋଫାଇଲ୍‌କୁ ବ୍ଲକ୍‌ କରିଦିଅନ୍ତୁ।

ନୂଆ ନୂଆ ବନ୍ଧୁ ହୋଇଥିବା କୌଣସି ଯୁବତୀ ଅବା ଯୁବକଙ୍କୁ ବିଶ୍ୱାସରେ ହଠାତ୍‌ ନିଜର ଠିକ ପରିଚୟ, ଠିକଣା, ଫଟୋ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନା ଦେଇ ଦିଅନ୍ତୁ ନାହିଁ। ଯଦି କିଛି ଦିନ କଥା ହେବା, ପରସ୍ପରକୁ ଭଲ ଭାବେ ଜାଣିବା ଲାଗି ସମୟ ନ ଦେଇ କେହି ହଠାତ୍‌ ଡେଟିଂ ପାଇଁ ପ୍ରସ୍ତାବ ଦିଅନ୍ତି, ତେବେ ତତ୍‌କ୍ଷଣାତ୍‌ ରାଜି ହୋଇଯିବା ବୁଦ୍ଧିମତ୍ତାର କାମ ନୁହେଁ।

ଯଦି କେହି ଖୁବ୍‌ କମ୍‌ ସମୟରେ ବାରମ୍ବାର ଡେଟ୍‌ ପ୍ରସ୍ତାବ ଦିଅନ୍ତି ଏବଂ ଏପରି ବ୍ୟବହାରକୁ ନେଇ ଆପଣଙ୍କ ମନରେ କିଛି ବି ସନ୍ଦେହ ଆସେ, ତେବେ ପ୍ରଥମେ ସମୟ ନେଇ ସତ କ’ଣ ଜାଣିବାକୁ ଚେଷ୍ଟା କରନ୍ତୁ। ମନା କରିବା ଦ୍ୱାରା ଅନ୍ୟକୁ ଦୁଃଖ ହେବ ଭାବି ଭାବପ୍ରବଣତାବଶତଃ କୌଣସି ଭୁଲ୍‌ ନିଷ୍ପତ୍ତି ନିଅନ୍ତୁ ନାହିଁ।

ଡେଟିଂରେ ଯିବାକୁ ଚାହୁଁଥିଲେ କୌଣସି ନିରୋଳା ସ୍ଥାନ ପରିବର୍ତ୍ତେ ସାର୍ବଜନୀନ ସ୍ଥାନ ବାଛନ୍ତୁ। ତେବେ ସୁରକ୍ଷା ଦୃଷ୍ଟିରୁ ସାଙ୍ଗରେ ପରିବାରର ସଦସ୍ୟ କିମ୍ବା ସାଙ୍ଗଙ୍କୁ ନେଇ ଯିବା ମଧ୍ୟ ଭଲ।

Spread the love