କ୍ରୋଏସିଆରେ ବଡ଼ ଧରଣର ଭୂମିକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

କେନ୍ଦ୍ରୀୟ କ୍ରୋଏସିଆରେ ଆଜି ଏକ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପ ଭାରତୀୟ ସମୟ ସଂଧ୍ୟା ୫ଟା ସମୟରେ ହୋଇଥିବା ଜଣାଯାଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ଥିବା ସୂଚନା ମିଳିଛି । ଏହା ଦ୍ବାରା କେନ୍ଦ୍ରୀୟ କ୍ରୋଏସିଆରେ ଥିବା  ପେଟ୍ରିଞ୍ଜା ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ଅନେକ କୋଠା, ଆପାର୍ଟମେଣ୍ଟ ଭାଙ୍ଗିପଡ଼ିଥିବା ଦେଖାଯାଇଛି ।  ଉଦ୍ଧାରକାର୍ଯ୍ୟ ପାଇଁ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଥିବା ଜଣାଯାଇଛି ।ୟୁଏସ୍ ଜିଓଲୋଜିକାଲ ସର୍ଭେର ତଥ୍ୟ ଅନୁସାରେ ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଏହି ଭୂମିକମ୍ପ ହୋଇଥିଲା । ଭୂକମ୍ପର ପ୍ରଭାବ କ୍ରୋଏସିଆର ସବୁ ଅଞ୍ଚଳରେ ଅନୁଭୂତ ହୋଇଥିଲା । ଏପରିକି କ୍ରୋଏସିଆର ପଡ଼ୋଶୀ ଦେଶ ସର୍ବିଆ ଓ ବୋସନିଆରେ ମଧ୍ୟ ପ୍ରଭାବ ଅନୁଭୂତ ହୋଇଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସୋମବାରଦିନ ମଧ୍ୟ ଏହି ସହରରେ ୫.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ।

ଏପର୍ଯ୍ୟନ୍ତ କ୍ରୋଏସିଆରେ ମୃତାହତ ସଂଖ୍ୟା ଜଣାପଡ଼ିନଥିଲେ ମଧ୍ୟ ଏଥିରେ ଅନେକ ଲୋକମୃତାହତ ହୋଇଥିବା ସଂଦେହ କରାଯାଉଛି । ଏହି ଭୂମିକମ୍ପର ଏକ ପରବର୍ତ୍ତୀ ଝଟକା ଆସିବାର ଆଶଙ୍କା ଥିବାରୁ ସରକାରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି ।

Spread the love