ଥାଇଲ୍ୟାଣ୍ଡ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ, ୧୩ ମୃତ, ୩୫ ଆହତ

ଚୋନବୁରୀ ୫।୮: ପୂର୍ବ ଥାଇଲ୍ୟାଣ୍ଡର ଏକ ମ୍ୟୁଜିକ ପବରେ ଶୁକ୍ରବାର ପ୍ରତ୍ୟୁଷରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ପୋଡି ହୋଇ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୩୫ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଏହି ଅଗ୍ନିକାଣ୍ଡ ଥାଇଲ୍ୟାଣ୍ଡ ମୁଖ୍ୟ ସହର ବ୍ୟାଙ୍କକରୁ ଦକ୍ଷିଣ-ପୂର୍ବ ୧୬୦ କିଲୋମିଟର ଦୂର ଚୋନବୁରୀ ପ୍ରାନ୍ତର ସଟ୍ଟାହିପ୍ ଜିଲ୍ଲା ମାଉଣ୍ଟେନ ବି ପବ୍‌ରେ ହୋଇଛି। ନିଆଁ ଲାଗିବାର କାରଣ ଜଣାପଡି ନାହିଁ। ତେବେ ପବ୍‌ର ମାଲିକ ଓ କର୍ମଚାଙ୍କ ବୟାନ ରେକର୍ଡ କରାଯାଇଛି।

ପବ୍ ଅଗ୍ନିକାଣ୍ଡର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପ୍ରାଣ ବଞ୍ଚାଇବାକୁ ଦୌଡୁଥିବା ଲୋକଙ୍କ ଦେହରେ ନିଆଁ ଲାଗିଥିବା ଦେଖା ଯାଉଛି।  କ୍ଲବରେ ନିଆଁ ଲାଗିବା ଯୋଗୁ ଲୋକେ ଯିଏ ଯେଉଁବାଟରେ ବାହାରି ପଳାଇବାକୁ ଲାଗିଥିଲେ। ଏଣ୍ଟ୍ରିଗେଟ୍‌ ପଟେ ମଧ୍ୟ ଲୋକେ ବାହାରୁଥିବା ଦେଖା ଯାଇଛି। ଶେଷରେ ଏହି ଦରଜାରେ ମଧ୍ୟ ନିଆଁ ଲାଗିଯାଇଥିଲା। ଉଦ୍ଧାରକାରୀଙ୍କ ସୂଚନା ଅନୁସାରେ ଅନୁନ୍ୟ ୨ ଡଜନରୁ ଅଧିକ ଲୋକେ ପୋଡି ହୋଇ ଆହତ ହୋଇଥିବାର କହିଛନ୍ତି।

ପୋଲିସ ଫରେନସିକ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ଏକାଠି କରୁଛି। ପୋଲିସ ସୂଚନା ଅନୁସାରେ ନିଆଁ ଗୁରୁବାର ଓ ଶୁକ୍ରବାର ରାତି ପ୍ରାୟ ୧୨ଟା ୪୫ରେ ଲାଗିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ କାର୍ଯ୍ୟକ୍ରମ ହେଉଥିବା ସ୍ଥଳର ଛାତରେ ଧୂଆଁ ଓ ନିଆଁ ଦେଖିବାକୁ ମିଳିଥିଲା। ଦେଖୁ ଦେଖୁ ନିଆଁ ସାରା ପବକୁ ଗ୍ରାସି ଯାଇଥିଲା। ଦମକଳ ବିଭାଗକୁ ତୁରନ୍ତ ସୂଚନା ଦିଆଯାଇଥିଲା। ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୨ ଘଣ୍ଟା ଲାଗିଯାଇଥିଲା।

Spread the love