ପ୍ରଧାନମନ୍ତ୍ରୀଙ୍କୁ ‘ନାଲାଏକ୍’ କହି ଫସିଲେ ଖଡ଼ଗେଙ୍କ ପୁଅ, କାରଣ ଦର୍ଶାଅ ନୋଟିସ ପଠାଇଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ନାଲାଏକ୍’ ( ଅଯୋଗ୍ୟ) କହି ଫସିଲେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟାଙ୍କ ଖଡ଼ଗେ। କାରଣ ଦର୍ଶାଅ ନୋଟିସ ପଠାଇଲେ ନିର୍ବାଚନ ଆୟୋଗ। ଏଥିସହ ସୋନିଆ ଗାନ୍ଧୀଙ୍କ ପାଇଁ ଆପତ୍ତିଜନକ ଭାଷା ବ୍ୟବହାର କରିଥିବାରୁ ନିର୍ବାଚନ ଆୟୋଗ ବିଜେପି ବିଧାୟକ ବସନଗୌଡା ଆର ପାଟିଲ (ଯତନାଲ)ଙ୍କୁ ମଧ୍ୟ ଏକ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି। ବସନଗୌଡା ହେଉଛନ୍ତି ବିଜେପିର ଷ୍ଟାର ପ୍ରଚାରକ।

ନିକଟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କର ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ‘ବିଷାକ୍ତ ସାପ’ ଶବ୍ଦ ବ୍ୟବହାର କରିବା ପରେ ବସନଗୌଡା ସୋନିଆ ଗାନ୍ଧୀଙ୍କ ପାଇଁ ‘ବିଷକନ୍ୟା’ ଶବ୍ଦ ବ୍ୟବହାର କରିଥିଲେ ଏବଂ ତାଙ୍କୁ ଚୀନ୍ ଓ  ପାକିସ୍ତାନର ଏଜେଣ୍ଟ ବୋଲି କହିଥିଲେ। ତେବେ ଉଭୟ ପ୍ରିୟାଙ୍କ ଓ ବସନଗୌଡାଙ୍କୁ ଗୁରୁବାର ସନ୍ଧ୍ୟା ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଛି।

ଦୁହେଁ ବିବାଦୀୟ ବୟାନ ଦେବା ପରେ ଉଭୟ ବିଜେପି ଓ କଂଗ୍ରେସ ନ୍ୟାୟ ମାଗି ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ। ଏ ନେଇ ଆଜି ନିର୍ବାଚନ ଆୟୋଗ ଉଭୟ ପ୍ରିୟାଙ୍କ ଓ ବସନଗୌଡାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି।

ଉଲ୍ଲେଖଯୋଗ୍ୟ, କଲବୁର୍ଗିରେ ବଞ୍ଜାରା ସମ୍ପ୍ରଦାୟର ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ପ୍ରିୟାଙ୍କ ମୋଦୀଜୀଙ୍କୁ ଟାର୍ଗେଟ କରି କହିଥିଲେ ଯେ  ‘ଏଭଳି ଅଯୋଗ୍ୟ ପୁଅ ରହିଲେ ଘର ଚଳିବ କେମିତି? ଅନ୍ୟପକ୍ଷରେ ୟତନଲ୍‌ କୋପ୍ପଲ୍‌ରେ ଆୟୋଜିତ ନିର୍ବାଚନ ରାଲିରେ ‘ବିଜେପି’ ବିଧାୟକ ବସନଗୌଡ଼ା କହିଥିଲେ: ସମଗ୍ର ବିଶ୍ବ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗ୍ରହଣ କରିଛି। ଏକଦା ଆମେରିକା ତାଙ୍କୁ ‘ଭିସା’ ଦେବାକୁ ମନା କରି ଦେଇଥି‌ଲା। ପରେ ‌ସେହି ଆମେରିକା ଔପଚାରିକ ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ବାଗତ କରିଥିଲା।  ଏବେ ସେମାନେ (କଂଗ୍ରେସ) ତାଙ୍କୁ ନାଗସାପ ସହିତ ତୁଳନା କରି କହୁଛନ୍ତି ଯେ, ସେ ବିଷ ଓଗାଳିବେ। ସୋନିଆ ଗାନ୍ଧୀ କ’ଣ ଜଣେ ‘ବିଷକନ୍ୟା’? ସେ ଚୀନ୍‌ ଓ ପାକିସ୍ତାନ ସହିତ ସେମାନଙ୍କର ଏଜେ‌ଣ୍ଟ୍‌ ଭାବେ କାର୍ଯ୍ୟ କରିଛନ୍ତି।

Spread the love