ପ୍ରଧାନମନ୍ତ୍ରୀଙ୍କ ‘ଦେଖୋ ଅପନା ଦେଶ ‘ ଅଭିଯାନରେ ଇକୋ-ରିଟ୍ରିଟ୍ ବହୁତ ଭଲ ପଦକ୍ଷେପ – ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରାପଡ଼ା : ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଠାରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗପକ୍ଷରୁ ଆୟୋଜିତ ଇକୋ-ରିଟ୍ରିଟର କଟେଜରେ ରାତ୍ରୀଯାପନ କରିବା ସହ ରବିବାର ସକାଳୁ ଭିତରକନିକା ଜାତୀୟ ଉଦ୍ୟାନ ବୁଲି ଦେଖି ନିଜ ଅନୁଭୂତି ସମ୍ପର୍କରେ କହିଛନ୍ତି ।

ଶ୍ରୀ ପ୍ରଧାନ ଇକୋ ରିଟ୍ରିଟ୍ ଆୟୋଜନ ହେବା ସମ୍ପର୍କରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଦେଖୋ ଅପନା ଦେଶ୍‌’ ଅଭିଯାନରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ଇକୋ-ରିଟ୍ରିଟ୍ ବହୁତ ଭଲ ପଦକ୍ଷେପ। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟର ୫ଟି ସ୍ଥାନରେ ଆୟୋଜିତ ହୋଇଯାଇଥିବା ଇକୋ-ରିଟ୍ରିଟ ମଧ୍ୟରୁ ଭିତରକନିକା ଅନ୍ୟତମ। ପରିବେଶକୁ ପ୍ରାଥମିକତା ରଖି ପର୍ଯ୍ୟଟନ କ୍ଷେତ୍ରର ବିକାଶ ସମ୍ଭବ, ଇକୋ-ରିଟ୍ରିଟ୍ ଏହାର ଗୋଟିଏ ବଡ଼ ପ୍ରମାଣ। ସେହିପରି ବୋଟରେ ବସି ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପର୍ଯ୍ୟଟନ ଓ ପର୍ଯ୍ୟାବରଣ ଉଭୟର ସନ୍ତୁଳନ କରିବାର ଆବଶ୍ୟକତା ରହିଛି । ଏ ପରିପ୍ରେକ୍ଷୀରେ ଭାରତ ସରକାର ରାଜ୍ୟ ପର୍ଯ୍ୟଟନ ବିଭାଗ ସହ ସହଯୋଗୀ ହୋଇ ବିଶ୍ୱପ୍ରସିଦ୍ଧ ଭିତରକନିକାର ଅଧିକ ବିକାଶ ପାଇଁ ଦାୟିତ୍ୱ ନେବେ। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରବର୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସହ ଏ ନେଇ ଅବଗତ କରାଯିବ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭିତରକନିକାର ପ୍ରଚାରପ୍ରସାର ପାଇଁ ଉଦ୍ୟମ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଅପାର ସମ୍ଭାବନାର ଅଂଚଳ ଭିତରକନିକାର ବିକାଶ ହେଲେ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ର ଓ ସ୍ଥାନୀୟ ଅର୍ଥନୀତି ମଧ୍ୟ ମଜବୁତ୍ ହେବ। ଆଗାମୀ ଦିନରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ତଥା ଏହି ଅଂଚଳର ସାମଗ୍ରିକ ବିକାଶ ପାଇଁ ଭିତରକନିକା ବଡ଼ ମାଧ୍ୟମ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।ଉଲ୍ଲେଖନୀୟ ଯେ, ଶ୍ରୀ ପ୍ରଧାନ ଏହି ଦୁଇଦିନିଆ କେନ୍ଦ୍ରାପଡା ଗସ୍ତ କାଳରେ ରିକୋ-ରିଟ୍ରିଟ୍‌ରେ ରାତ୍ରିଯାପନ କରିବା ପୂର୍ବରୁ ସେଠାରେ ରହୁଥିବା ସଧାରଣ ପର୍ଯ୍ୟଟକଙ୍କ ସହ ଆଲୋଚନା କରିବା ସହ କ୍ୟାମ୍ପ ପରିସର ବୁଲି ଦେଖିଥିଲେ। ଏହାସହ ଭିତର କନିକା ଜାତୀୟ ଉଦ୍ୟାନରେ ବୁଲିବା ବେଳେ ସାଧାରଣ ପର୍ଯ୍ୟଟକଙ୍କ ସହ କଥା ହୋଇ ସେମାନଙ୍କ ଅନୁଭୂତି ସମ୍ପର୍କରେ ପଚାରି ବୁଝିଥିଲେ।

Spread the love