ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ ପାଳନ
ଭୁବନେଶ୍ୱର, ୨୪/୦୯: ପୂର୍ବତଟ ରେଳପଥ ମୁଖ୍ୟାଳୟ ଭୁବନେଶ୍ୱର ଠାରେ ବୁଧବାର 36ତମ ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ କୋଭିଡି ପ୍ରଟୋକଲ ସହିତ ପାଳିତ ହୋଇଯାଇଅଛି। ସୁରକ୍ଷା କ୍ଷେତ୍ରରେ ରେଳବାଇ ସୁରକ୍ଷାବଳ ଦ୍ୱାରା ବିଭିନ୍ନ ପ୍ରକାର ସାହାସିକତାର ପ୍ରୟାସକୁ ସ୍ମରଣୀୟ କରିବା ପାଇଁ ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଇ ଅଛି।
ଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ ସୁରକ୍ଷାବଳ ଦ୍ୱାରା ଆୟୋଜିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିବାବେଳେ ପ୍ୟାରେଡ଼ କୁ ନୀରିକ୍ଷଣ କରିଥିଲେ। ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କୁ ଏହି ଅବସରରେ ସମ୍ବୋଧନ କରି ଶ୍ରୀ ବିଦ୍ୟାଭୂଷଣ କହିଛନ୍ତି ଯେ ରେଳବାଇ ସୁରକ୍ଷା ବଳ ଯାତ୍ରୀ ମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପ୍ରତି ବିଶେଷ ଭାବେ ଧ୍ୟାନଦେବା ଦରକାର । ରେଳବାଇ ସମ୍ପତି ଓ ଯାତ୍ରୀ ସୁରକ୍ଷା ପ୍ରତି ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କର ନିଷ୍ଠାପର କର୍ତବ୍ୟକୁ ମହାପ୍ରବନ୍ଧକ ଭୁୟସୀ ପ୍ରଶଂସା କରିଥିଲେ। ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କୁ ସେମାନଙ୍କର ନିଷ୍ଠାପର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବା ପ୍ରତି ଶ୍ରୀ ବିଦ୍ୟାଭୂଷଣ ଗୁରୁତ୍ୱାରୋପ କରିଥିଲେ । କୋଭିଡ ଲକ ଡାଉନ ସମୟରେ ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କ ଭୂମିକାକୁ ମହାପ୍ରବନ୍ଧକ ପ୍ରଶଂସା କରିଥିଲେ ।
ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷାବଳ ପ୍ରମୁଖ ସୁରକ୍ଷା ଆୟୁକ୍ତ ତଥା ମହାନିରୀକ୍ଷକ ଶ୍ରୀ ରାଜା ରାମ ରେଳପଥ ପରିସୀମା ମଧ୍ୟରେ ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କର କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। ରେଳଯାତ୍ରୀ ମାନଙ୍କର ବହୁମୂଲ୍ୟ ଜୀବନର ସୁରକ୍ଷା ସହିତ ରେଳବାଇ ସମ୍ପତ୍ତି ର ସୁରକ୍ଷା ଦିଗରେ ରେଳବାଇ ସୁରକ୍ଷା ବଳ ସାମ୍ନା କରୁଥିବା ବିଭିନ୍ନ ପ୍ରତିକୂଳ ପ୍ରଭାବ ସତ୍ୱେ ସେମାନେ ନିଷ୍ଠାପର ସେବା ପ୍ରଦାନ କରିଆସୁଛନ୍ତି ।
ରେଳପଥର ଅତିରିକ୍ତ ମହାପ୍ରବନ୍ଧକଙ୍କ ସହିତ ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ ଓ ବରିଷ୍ଠ ଅଧିକାରୀ ମାନେ ଏହି ଅବସରରେ ଉପସ୍ଥିତ ଥିଲେ । କର୍ତ୍ତବ୍ୟ ପରାୟଣ, ନିଷ୍ଠାପର ଓ ସାହାସିକତା ପାଇଁ ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କୁ ସେମାନଙ୍କର କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ କରାଯାଇଥିଲା ।