ପୂର୍ବତନ ଇଡି ଅଧିକାରୀଙ୍କ ନାଁରେ ସିବିଆଇ ମାମଲା

ଦୁର୍ନୀତି ଓ ଲାଞ୍ଚ କାରବାର ମାମଲା ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଛି। ଇଡିର ଜଣେ ପୂର୍ବତନ ଅଧିକାରୀ ଲାଞ୍ଚ ନେଇଥିବା ଅଭିଯୋଗରେ ଆଜି ସିବିଆଇ ମାମଲା ରୁଜୁ କରିଛି। ଅଧିକାରୀ ଜଣଙ୍କ ଲାଞ୍ଚ ନେଇ ଜଣେ ବ୍ୟକ୍ତି ନାଁରେ ଥିବା ଫରେନ ଏକ୍ସଚେଞ୍ଜ ଉଲ୍ଲଙ୍ଘନ ମାମଲାକୁ ରଫାଦଫା କରିବାକୁ ପ୍ରତିଶ୍ରୁତି ଦେଇଥିବା ସିବିଆଇ ଜାରଇବାକୁ ପାଇଛି।

ସିବିଆଇ ତା’ ଏଫଆଇଆରରେ ଉଲ୍ଲେଖ କରିଛି ଯେ ତତ୍କାଳୀନ ଇଡିର ଚଣ୍ଡିଗଡ଼ ବ୍ରାଞ୍ଚରେ ଡେପୁଟି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଗୁରନାମ ସିଂହ ୨୦୧୭ ଜାନୁଆରୀ ମାସରେ ଦିଶା ଗୁପ୍ତା ନାମକ ମହିଳାଙ୍କ ପରିବାର ଲୋକଙ୍କ ଠାରୁ ୨.୫ ଲକ୍ଷ ଟଙ୍କାର ଲାଞ୍ଚ ନେଇଥିଲେ। ୨୦୧୫ରେ ଦିଶା ଗୁପ୍ତାଙ୍କ ନାଁରେ ଚଣ୍ଡିଗଡ଼ ପୁଲିସ୍‌ ୧.୧୦ କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିଥିଲା। ଏହାପରେ ଏହାର ତଦନ୍ତ ଇଡି ଆରମ୍ଭ କରିଥିଲା। ଗୁରନାମ ୨୦୧୬ ନଭେମ୍ବର ୮ରେ ଦିଶାଙ୍କୁ ତାଙ୍କ ପରିବାର ଲୋକଙ୍କ ସହ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କହିଥିଲେ। ଗୁରନାମ ଏହି ସମୟରେ ହିଁ ମାମଲା ରଫା ଦଫା କରିବାକୁ ଦିଶା ଓ ତାଙ୍କ ପରିବାର ଲୋକଙ୍କ ଠାରୁ ୨.୫ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ।

ଦିଶାଙ୍କ ବାପା ବିନୋଦ ଗୁପ୍ତା ୨୦୧୭ ଜାନୁଆରୀ ୭ ଓ ୨୦୧୭ ଜାନୁଆରୀ ୧୦ରେ ଲାଞ୍ଚ ଟଙ୍କାକୁ ଗୁରନାମଙ୍କ ମା’ଙ୍କ ଆକାଉଣ୍ଟକୁ ପଠାଇ ଥିଲେ। ଚଣ୍ଡିଗଡ଼ରେ ଗୁରନାମ ତାଙ୍କ କାର୍ଯ୍ୟକାଳ ଶେଷ କରିବା ପରେ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ରୀୟ ଫରେନ୍ସିକ ସାଇନ୍ସ ଲ୍ୟାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୧୭ ଜାନୁଆରୀ ୧୮ରେ ସେ ଏଠାରେ ଯୋଗଦେଇଥିଲେ। ତେବେ ଘଟଣାର କିଛି ଦିନ ପରେ ସିବିଆଇ ତାଙ୍କ ନାଁରେ ଅଭିଯୋଗ ପାଇ ଖୋଳତାଡ଼ କରିଥିଲା। ଏବେ ପୂରା ଘଟଣା ସାମ୍ନାକୁ ଆସିଛି।

Spread the love