ଆଜି ତ୍ୟାଗ ଓ ବଳିଦାନର ପର୍ବ ଇଦ୍ ଉଲ୍ ଜୁହା

ନୂଆଦିଲ୍ଲୀ : ଆଜି ଇଦ୍‌ ଉଲ୍‌ ଜୁହା । ବଳିଦାନ ଓ ସ୍ୱାର୍ଥତ୍ୟାଗର ଅନନ୍ୟ ପର୍ବ ହେଉଛି ‘ଇଦ୍-ଉଲ୍-ଜୁହା’। ଅନ୍ତରର ସମସ୍ତ ଲୋଭ ଓ ସ୍ୱାର୍ଥକୁ ବଳି ଦେଇ ଈଶ୍ୱର ଭକ୍ତିରେ ଲୀନ ହୋଇଯିବାର ପର୍ବ ହେଉଛି ‘ଇଦ୍-ଉଲ୍-ଜୁହା’। ଆଲ୍ଲାଙ୍କର ପୈଗମ୍ବର ଇବ୍ରାହିମ୍‌ଙ୍କ ସମର୍ପଣ ଭାବକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ମୁସଲମାନମାନେ ଏହି ପର୍ବ ପାଳନ କରିଥାଆନ୍ତି। ଦେଶ ସାରା ମସଜିଦରେ ଚାଲିଛି ନମାଜ ପାଠ।
ରମଜାନ ମାସ ଶେଷ ହେବାର ୭୦ ଦିନ ପରେ ଏହି ବକ୍ରୀଇଦ୍ ପାଳନ କରାଯାଏ। ଏହି ଦିନ ମୁସଲମାନ ଭାଇ ମାନେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥାନ୍ତି। ଏଥିପାଇଁ ସକାଳୁ ସକାଳୁ ମୁସଲମାନ ଭାଇମାନେ ନୂଆ ଲୁଗା ପିନ୍ଧି ମସ୍‌ଜିଦ୍‌ରେ ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଇଦ୍‌ର ଶୁଭେଚ୍ଛା ଜଣାଇଥାନ୍ତି। ଦିଲ୍ଲୀ ଜାମା ମସିଜିଦ୍‌ ମୁସଲିମ ଭାଇମାନେ ନମାଜ ପାଠ କରିବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି । ମୁସଲମାନ ସମ୍ରଦାୟର ଲୋକମାନେ ନମାଜ ପାଠ କରିବା ପରେ ପଶୁ ସମର୍ପଣ କରନ୍ତି । ବକରି ଇଦ୍‌ ପାଇଁ ଆଜି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗତକାଲି ରାତି ଯାଏ ଛେଳି କିଣିବାକୁ ବଜାରରେ ଭିଡ଼ ଦେଖିବାକୁ ମିଳିଥିଲା । ଇଦ୍‌ ପାଇଁ ଘରେ ଘରେ ଜୋରଦାର ପ୍ରସ୍ତୁତି ଚାଲିଛି। ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ। ଲାଛା, ସର୍ବତ, ବିରିୟାନୀ ଓ ହାଲୱାରେ ମହକୁଛି ପରିବେଶ।

Spread the love