୬ମନ୍ତ୍ରୀଙ୍କ ସହ ବହୁ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା କାଲି

ଛଅଟି ଲୋକସଭା ଆସନ ସହିତ ୪୨ଟି ବିଧାନସଭା ଆସନପାଇଁ ଓଡିଶାରେ ଗତକାଲି ନିର୍ବାଚନ ପ୍ରଚାର ଶେଷହୋଇଛି । ଏହି ନିର୍ବାଚନମଣ୍ଡଳୀ ଗୁଡିକରେ ଆସନ୍ତାକାଲି ୨୩ ତାରିଖ ଦିନ ମତଗ୍ରହଣ କରାଯିବ । ତୃତୀୟ ପର୍ଯ୍ୟାୟରେ ହେଉଥିବା ନିର୍ବାଚନରେ ରାଜ୍ୟର ୬ଜଣ ମନ୍ତ୍ରୀଙ୍କ ସମେତ ବହୁ ରାଜନେତା ଏବଂ ନୂଆକରି ରାଜନୀତିର ମଙ୍ଗ ଧରିଥିବା ପୂର୍ବତନ ସରକାରୀ ଅଫିସର, ୩ ପ୍ରଶାସନିକ ଅଧିକାରୀ ଓ ଅଭିନେତ୍ରୀଙ୍କ ଭାଗ୍ୟ ଏବଂ ଭବିଷ୍ୟତ ନିର୍ଦ୍ଧାରିତ ହେବ ।

ତୃତୀୟ ପର୍ଯ୍ୟାୟରେ ଯେଉଁ ଛଅଟି ଲୋକସଭା ଆସନ ଲାଗି ଏପ୍ରିଲ୍‍ ୨୩ରେ ଭୋଟ ଗ୍ରହଣ କରାଯାଉଛି ସେଗୁଡିକ ହେଲା ଭୁବନେଶ୍ୱର, କଟକ, ପୁରୀ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର । ଏହାଛଡା ଭୁବନେଶ୍ୱରର ତିନିଟି ଆସନ ସମେତ ଖୋରଧା, ବେଗୁନିଆ, ଜଟଣୀ, ଜୟଦେବ, ନୟାଗଡ, ରଣପୁର, ଚିଲିକା, ପିପିଲି, ସତ୍ୟବାଦୀ, ବ୍ରହ୍ମଗିରି, ପୁରୀ, ଖଣ୍ଡପଡା ଏବଂ କଟକର ତିନିଟି ବିଧାନସଭା ଆସନରେ ମଧ୍ୟ ଏହି ପର୍ଯ୍ୟାୟରେ ଭୋଟ ହେବ । ଏତଦ୍‍ବ୍ୟତିତ ଆଠଗଡ, ବାଙ୍କି, ବଡମ୍ବା, ଅନୁଗୁଳ, ତାଳଚେର, ପାଲଲହଡା, ପରଜଙ୍ଗ, କାମାକ୍ଷାନଗର, ହିନ୍ଦୋଳ, ଢେଙ୍କାନାଳ, କରଞ୍ଜିଆ, ଚମ୍ପୁଆ, କେନ୍ଦୁଝର, ପାଟଣା, ଆନନ୍ଦପୁର, ଘଷିପୁରା, ତେଲକୋଇ, ଆଠମଲିକ, ଛେଣ୍ଡିପଦା, ଦେବଗଡ, ରେଢାଖୋଲ, ସମ୍ବଲପୁର, ରେଙ୍ଗାଲି ଓ କୁଚିଣ୍ଡା ବିଧାନସଭା କ୍ଷେତ୍ରରେ ବି ଏପ୍ରିଲ୍‍ ୨୩ରେ ଭୋଟ ହେବ । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ଦଳର ଅନେକ ହେଭିୱେଟ ନେତାଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ ହେବାକୁ ଯାଉଛି ।

ଏମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ, ଡକ୍ଟର ଅରବିନ୍ଦ ଢାଲି, ସଞ୍ଜୟ କୁମାର ଦାଶବର୍ମା, ପ୍ରଦୀପ ମହାରଥୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ସାଂସଦ ଭର୍ତ୍ତୃହରି ମହତାବ ଓ ପିନାକୀ ମିଶ୍ର ଇତ୍ୟାଦି ।

ଏମାନଙ୍କ ଛଡା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବିଜେପିର ବରିଷ୍ଠ ନେତା ସମୀର ଦେ, ସୁରମା ପାଢୀ, ବିଜେପିର ବରିଷ୍ଠ ନେତା ସମ୍ବିତ ପାତ୍ର, ପୃଥୀରାଜ ହରିଚନ୍ଦନ ଆଦିଙ୍କ ନିର୍ବାଚନମଣ୍ଡଳୀରେ ବି ଏହି ପର୍ଯ୍ୟାୟରେ ଭୋଟ ହେଉଛି ।

ଅଣରାଜନୈତିକ କ୍ଷେତ୍ରରୁ ଆସି ରାଜନୈତିକ ମଇଦାନରେ ନୂଆ କ୍ୟାରିଅର ଆରମ୍ଭ କରୁଥିବା ଆଇଏସ ଅପରାଜିତା ଷଡଙ୍ଗୀ, ପୂର୍ବତନ ପୋଲିସ ଡିଜି ପ୍ରକାଶ ଚନ୍ଦ୍ର ମିଶ୍ର, ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଅରୂପ ପଟ୍ଟନାୟକ, ଓଡିଶା ସାମ୍ବାଦିକ ଜଗତର ବାଦଶାହା ତଥା ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ର ମୁଖ୍ୟ ସତ୍ୟ ପ୍ରକାଶ ନାୟକ, ଇଞ୍ଜିନିୟର ନଳିନୀକାନ୍ତ ପ୍ରଧାନ, ଡାକ୍ତର ଅଶ୍ୱିନୀ ପୂଜାହାରୀ ଓ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ରାଜନୈତିକ ଭାଗ୍ୟ ଓ ଭବିଷ୍ୟତ ବି ଏହି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ନିର୍ଦ୍ଧାରିତ ହେବାକୁ ଯାଉଛି ।

ପୂର୍ବରୁ ଗତ ୧୧ ଓ ୧୮ ତାରିଖରେ ଓଡିଶାର ୯ଜଟି ଲୋକସଭା ଏବଂ ଏହା ଅର୍ନ୍ତଗତ ୬୩ଟି ବିଧାନସଭା ଆସନରେ ଭୋଟ ହୋଇସାରିଛି ।

Spread the love