ପାଟଣା ନିର୍ବାଚନମଣ୍ଡଳୀର ଅନେକ ବ୍ଲକ୍‌ରେ ସାଧାରଣ ବର୍ଗ ପାଇଁ ନାହିଁ ସଂରକ୍ଷିତ ପଦବୀ

ପାଟଣା ୧୩।୧୦: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନମଣ୍ଡଳୀରେ ସଂରକ୍ଷିତ ତାଲିକାକୁ ନେଇ ବଢୁଛି ଅସନ୍ତୋଷ । ସାଧାରଣ ବର୍ଗ ପାଇଁ ସଂରକ୍ଷିତ ନଥିବାରୁ ସାଧାରଣ ବର୍ଗର ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ନୈରାଶ୍ୟ ଦେଖାଦେଇଛି। ପାଟଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଟଣା ବ୍ଲକର ୩ଟି, ସାହାରପଡା ବ୍ଲକର ୨ଟି, ଝୁମ୍ପୁରା ବ୍ଲକର ୨ଟି ଓ ଚମ୍ପୁଆ ବ୍ଲକର ୧ଟି ଜିଲ୍ଲା ପରିଷଦ ସଭ୍ୟ ପଦବୀ ମଧ୍ୟରୁ ଗୋଟିଏ ହେଲେ ସାଧାରଣ ବର୍ଗ ପାଇଁ ସଂରକ୍ଷିତ ନାହିଁ । 

ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଚିଠା ତାଲିକା ପ୍ରକାଶ ପାଇବା ପରେ ଏହାର ନିରପେକ୍ଷତା ନେଇ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପାଟଣା ବ୍ଲକ୍ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶ ପାଟଣା ବ୍ଲକ୍ କଂଗ୍ରେସ ସଭାପତି ଶତ୍ରୁଘ୍ନ ସିଂହ ପ୍ରଶ୍ନ ଉଠାଇଛନ୍ତି । ପାଟଣା ନିର୍ବାଚନ ମଣ୍ଡଳୀର ପାଟଣା ବ୍ଲକର ୨୧ ଓ ୨୩ ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୨୨ ନମ୍ବରଟି ଅନୁସୂଚିତ ଜନଜାତି ମହିଳା, ସାହାରପଡା ବ୍ଲକର ୨୯ ନମ୍ବର ଜୋନଟି ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଥିବା ବେଳେ ୩୦ ନମ୍ବରଟି ଅନୁସୂଚିତ ଜନଜାତି ମହିଳା ପାଇଁ ସଂରକ୍ଷିତ ରହିଛି।

ଅନୁରୂପ ଭାବେ ଚମ୍ପୁଆ ବ୍ଲକ୍ ୧୫ ନମ୍ବର ଜୋନ୍ ଆସନଟି ଅନୁସୂଚିତ ଜନଜାତି ମହିଳା ଓ ଝୁମ୍ପୁରା ବ୍ଲକ୍ ର୧୮ ନମ୍ବର ଜୋନ୍ ପଛୁଆ ବର୍ଗ ପାଇଁ ସଂରକ୍ଷିତ ଥିବାବେଳେ ଏହି ବ୍ଲକ୍ ର ୧୭ ନମ୍ବର ଜୋନ୍ ମଧ୍ୟ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ପାଟଣା ନିର୍ବାଚନ ମଣ୍ଡଳୀର ୮ଟି ଜିଲ୍ଲ ପରିଷଦ ଆସନ ମଧ୍ୟରୁ କେଉଁଠି ହେଲେ ସାଧାରଣ ବର୍ଗଙ୍କୁ ପ୍ରତିନିଧିତ୍ବ କରିବାର ସୁଯୋଗ ନଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବିଭିନ୍ନ କ୍ଷେତ୍ରରେ ସାଧାରଣ ବର୍ଗ ଲୋକଙ୍କୁ ଅବହେଳା କରାଯାଉଥିବା ଯୋଗୁଁ ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀଙ୍କ ସମେତ ସାଧାରଣ ବର୍ଗ ଏହାକୁ ନିନ୍ଦା କରିଛନ୍ତି ।

Spread the love