ପଞ୍ଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇବ ଓଡିଶା ପ୍ରଗତି ଦଳ

ପୁରୀ, ୨୫/୧୦: ଏଥର ପଞ୍ଚାୟତ ନିର୍ବାଚନରେ ମଇଦାନକୁ ଓହ୍ଲାଇବ ଓଡିଶା ପ୍ରଗତି ଦଳ। ଏଥିସହ ଏନଏସି, ମହାନଗର ନିଗମ, ବିଧାନସଭା ଓ ସଂସଦୀୟ କ୍ଷେତ୍ରରେ ମଧ୍ୟ ଦଳ ପ୍ରାର୍ଥୀ ଦେବ। ୧୧ ଟି ଇସ୍ତାହାର ନେଇ ଦଳ ନିର୍ବାଚନ ନିଶ୍ଚିତ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ସମସ୍ତ ନାଗରିକଙ୍କୁ ୬୦ ବର୍ଷ ପରେ ୫ ହଜାର ଟଙ୍କା ମାସିକ ପେନସନ, ମହିଳାମାନଙ୍କୁ ୩ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ ସହ ବିଧାନସଭାରେ ଜଣେ ମହିଳାଙ୍କୁ ବାଚସ୍ପତି କରିବା ନେଇ ଦଳ ଲକ୍ଷ ରଖିଛି।

ଦଳ‌ କ୍ଷମତା ପାଇଁ ନୁହେଁ ବରଂ ଗଣତନ୍ତ୍ର ପ୍ରତିଷ୍ଠା ନିମନ୍ତେ ଲକ୍ଷ ରଖି କାମ କରିବ। ଏବେ ରାଜ୍ୟରେ ଦଳ‌ ୧ ଲକ୍ଷ ୫୫ ଜଣ ସଦସ୍ୟ ସଂଗ୍ରହ କରିଥିବା ବେଳେ ପୁରୀ ଜିଲ୍ଲାରେ ସଦସ୍ୟ ସଂଖ୍ୟା ୪୫ ହଜାରରେ ପହଞ୍ଚିଛି। ଏକ ସ୍ବତନ୍ତ୍ର ଲକ୍ଷ ନେଇ ଓଡ଼ିଶା ପ୍ରଗତି ଦଳ ମଇଦାନକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି କହିଛନ୍ତି। ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲା ସଭାପତି ମୋହନ ପରିଡା ଅଧ୍ୟକ୍ଷତା କରିଥିବାବେଳେ ରାଜ୍ୟ ସଭାପତି ଜନ୍ମଜେୟ ମୋହିଦାସ, କାର୍ଯ୍ୟକାରୀ ସଭାପତି ଗିରିଜା ମହାନ୍ତି , ପର୍ଯ୍ୟବେକ୍ଷକ ଦିବ୍ୟରଞ୍ଜନ ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ।

Spread the love