୬ ମାସ ମଧ୍ୟରେ ପୌର ନିର୍ବାଚନ ସମ୍ଭାବନା

ଭୁବନେଶ୍ବର: ପୌର ନିର୍ବାଚନକୁ ନେଇ ଦୀର୍ଘ ଦୁଇବର୍ଷରୁ ଅଧିକ ଦିନ ‌ହେଲା ଲାଗି ରହିଥିବା ଅଚଳାବସ୍ଥା ଖୁବଶୀଘ୍ର ଦୂର ହେବ। ହାଇକୋର୍ଟଙ୍କ ନିର୍ଦେଶ ଆଧାରରେ ସଂରକ୍ଷଣ ହାର ୫୦% ମଧ୍ୟରେ ସୀମିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ଶୀତ ଅଧିବେଶନରେ ପୌର ନିୟମରେ ସଂଶୋଧନ ନେଇ ବିଧେୟକ ଆସିବ। ଏହା ପାରିତ ହେବା ପରେ ସରକାର ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ରାଜ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରିବେ। କମିସନ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିବେ। ୱାର୍ଡ ପୁନର୍ଗଠନ, ଭୋଟର ତାଲିକା ପ୍ରସ୍ତୁତି ଓ ନିର୍ବାଚନ ପାଇଁ ଅନ୍ୟୂନ ୬ମାସ ସମୟ ଆବଶ୍ୟକ ବୋଲି ନିର୍ବାଚନ କମିଶନଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ପୌରାଞ୍ଚଳର ସୀମା ପୁନଃନିର୍ଦ୍ଧାରଣ, ସ୍ଥାନ ସଂରକ୍ଷଣ ଓ ନିର୍ବାଚନ ପରିଚାଳନା ନିୟମ ୧୯୯୪ରେ ସଂଶୋଧନ ଆସିବା ପରେ ୨୦୨୧ ଜୁନ ବେଳକୁ ପୌର ନିର୍ବାଚନର ସମ୍ଭାବନା ଥିବା ନଗର ଉନ୍ନୟନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ପୌର ପ୍ରଶାସକ ସଂଗ୍ରାମଜିତ ନାୟକ କହିଛନ୍ତି, ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଆଦେଶ ଆଧାରରେ ସଂରକ୍ଷଣ ହାର ୫୦% ମଧ୍ୟରେ ସୀମିତ ରଖିବା ନେଇ ବିଭାଗ ସମସ୍ତ କାର୍ୟ୍ୟ ଶେଷ କରି ଏହାକୁ ଆଇନ ବିଭାଗକୁ ଅନୁଧ୍ୟାନ ପାଇଁ ପ୍ରଦାନ କରିଛି। ଅଦାଲତ ଦେଇଥିବା ନିର୍ଦେଶ ମୁତାବକ ସୁବ୍ୟବସ୍ଥିତ ଭାବେ ସଂରକ୍ଷଣ ହାରକୁ ୫୦% ମଧ୍ୟରେ ସୀମିତ ରଖିବା ନେଇ ପଦକ୍ଷେପ ନିଆଯାଇଛି। ଆସନ୍ତା ଅଧିବେଶନରେ ଆଇନରେ ସଂଶୋଧନ ପାଇଁ ବିଧେୟକ ଉପସ୍ଥାପିତ ହେବ। ଏହା ଗୃହର ଅନୁମୋଦନ ଲାଭ କରିବା ପରେ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ।

Spread the love