ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲର ଶେଷଦିନ

ଭୁବନେଶ୍ୱର,୨୦/୦୧: ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି । ତା’ ପୂର୍ବରୁ ବିଜେଡି, ବିଜେପି ଓ କଂଗ୍ରେସ ଭଳି ସମସ୍ତ ବଡ ରାଜନୈତିକ ଦଳର ଅଧିକାଂଶ ଜିଲ୍ଲା ପରିଷଦ ସିଟ୍‌ ଚୂଡ଼ାନ୍ତ ହୋଇଛି । କାଁ ଭାଁ କିଛି ସିଟ୍‌ ଲଟକି ରହିଛି । ଯାହାକୁ ନେଇ ନେତାଙ୍କ ଭିତରେ ଟଣା ଓଟରା ଲାଗିଛି । ତେବେ ଶୁକ୍ରବାର ସୁଦ୍ଧା ସବୁ ସିଟ୍‌ ଚୂଡ଼ାନ୍ତ କରିବାକୁ ୩ଦଳ ଯାକ ଜୋର ଲଗାଇଛନ୍ତି ।

ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ପାଣିପାଗ ବେଶ ସରଗରମ ହୋଇଛି । ଦଳଗୁଡିକ ଭିତରେ କାଦୁଅ ଫିଙ୍ଗା ରାଜନୀତି ଚାଲିଛି । ବିଜେଡି ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ ଉଠାଇଛନ୍ତି । ଚାନ୍ଦବାଲିର ଗୋପିନାଥପୁର ପଞ୍ଚାୟତ ଅଫିସ୍‌ରେ ବିଜେଡିର ମିଶ୍ରଣ ପର୍ବ ନେଇ ବିଜେପି ଅଭିଯୋଗ କରିଛି । ସେହିପରି ଦଳୀୟ ବିଧାୟକଙ୍କ ପ୍ୟାଡ୍‌ରେ ପ୍ରାର୍ଥୀଙ୍କ ନାମଠୁ ଆରମ୍ଭ କରି କେନ୍ଦ୍ରାପଡ଼ା କଲେଜରେ ଭୋଜି ନେଇ ଅଭିଯୋଗ ହୋଇଛି ।

ସରକାରୀ ଅଧିକାରୀ ଥାଇ ରାଜନୈତିକ କାର୍ଯ୍ୟକ୍ରମ ବି ହେଉଛି ବୋଲି ବିରୋଧୀ ଦଳ ଅଭିଯୋଗ ଆଣିଛନ୍ତି । ଅନୁରୂପ ଭାବେ ବିଜେଡି ମୁଖପାତ୍ର ମଧ୍ୟ ବିଜେପି ବିରୋଧରେ ଅଭିଯୋଗ ଉଠାଇଛନ୍ତି । ବିଭିନ୍ନ ସ୍ଥାନରେ ମୋଦିଙ୍କ ହୋର୍ଡିଂ ରହିବା ନେଇ ଅଭିଯୋଗ କରିଛନ୍ତି । ନାମାଙ୍କନପତ୍ର ଦାଖଲ ନ ସରୁଣୁ ଦଳଗୁଡିକ ପରସ୍ପର ବିରୋଧରେ ବର୍ଷିବା ଆରମ୍ଭ କରିଛନ୍ତି ।

ଅପରପକ୍ଷେ, କୋଟିଆରେ ବିଜେଡି, ବିଜେପି, କଂଗ୍ରେସ ସମେତ ସମସ୍ତ ଦଳ ମିଶି ଏକ ମିଳିତ ସ୍ୱାଧୀନ ପ୍ରାର୍ଥୀ ଦେବାକୁ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରସ୍ତାବ ଦେଇଛନ୍ତି । କୋଟିଆରେ ମିଳିତ ଭାବେ ପ୍ରାର୍ଥୀ ଦେଇ ଆନ୍ଧ୍ରକୁ ଓଡ଼ିଶାର ଦମ୍‌ ଦେଖାଇବାକୁ ତାରା ଉଭୟ ବିଜେଡି ଓ ବିଜେପିକୁ ଆହ୍ୱାନ ଦେଇଛନ୍ତି । ଉଭୟ ଦଳ ନିଜର ଦଳ ମୁଖ୍ୟଙ୍କ ସହ ଆଲୋଚନା କରି ଏହାକୁ ତୁରନ୍ତ ଚୂଡ଼ାନ୍ତ କରିବାକୁ କହିଛନ୍ତି ।

ବୁଧବାର ଜିଲ୍ଲା ପରିଷଦ ପଦବି ପାଇଁ ୪୮୪ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ପଞ୍ଚାୟତ ସମିତିି ସଭ୍ୟ ପଦ ପାଇଁ ୬୨୦୫, ସରପଞ୍ଚ ପାଇଁ ୮୯୪୭ ଏବଂ ୱାର୍ଡ଼ ମେମ୍ବର ପାଇଁ ୩୭ ହଜାର ୨୩୨ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
୩ ଦିନରେ ମୋଟ ପ୍ରାର୍ଥୀ ସଂଖ୍ୟା ୭୪ ହଜାର ୯୯୬ରେ ପହଞ୍ଚିଥିବା ବେଳେ ୱାର୍ଡ ମେମ୍ବର ପ୍ରାର୍ଥୀ ସଂଖ୍ୟା ସର୍ବାଧିକ ୫୫ହଜାର ୮୨ରେ ପହଞ୍ଚିଛି ।

ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ୩ ଦିନରେ ମାତ୍ର ୫୪୮ ଜଣ ନାମାଙ୍କନ ଭରିଛନ୍ତି । ତେବେ ସରପଞ୍ଚ ପ୍ରାର୍ଥୀ ପାଇଁ ୩ ଦିନରେ ମୋଟ ୧୧ହଜାର ୬୧୫ଜଣ ନାମାଙ୍କନ କରିଥିବା ବେଳେ ପଞ୍ଚାୟତ ସମିତି ସଭ୍ୟ ପାଇଁ ୭ ହଜାର ୭୫୧ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସୋମବାର ୧୦ଟି ଜିଲ୍ଲାକୁ ବାଲଟ୍‌ ପେପର୍‌ ପଠାଯାଇଥିବା ବେଳେ ଆଜି ପୁଣି ୧୦ଟି ଜିଲ୍ଲାକୁ ବାଲଟ୍‌ ପେପର୍‌ ପଠାଯାଇଥିବା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love