୫ଟି ପଞ୍ଚାୟତରେ ନିର୍ବାଚନ ବର୍ଜନ ପ୍ରସଙ୍ଗ : ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ

ଦେବଗଡ ୨୧।୧: ୫ଟି ଗ୍ରାମ ପଞ୍ଚାୟତରେ ନିର୍ବାଚନ ବର୍ଜନ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ ହୋଇଛି । ମୋବାଇଲ ଟାୱାର ନହେଲେ ଭୋଟ୍ ବର୍ଜନ ନିଷ୍ପତ୍ତିରେ ଅଟଳ ରହିଛନ୍ତି ଅଞ୍ଚଳବାସୀ । କୌଣସି ପଦବୀ ପାଇଁ କେହି ପ୍ରାର୍ଥୀ ପତ୍ର ଦାଖଲ କଲେ ନାହିଁ । ୫ଟି ଗ୍ରାମ ପଞ୍ଚାୟତ ହେଲା ଝରାଗୋଗୁଆ, ଗଣ୍ଡମ, ପାରପୋଷୀ, ଡିମିରିକୁଦା ଓ ଝାରମୁଣ୍ଡା ଗ୍ରାମବାସୀ । ତିଲେଇବଣୀ ବ୍ଲକରେ ଜିଲ୍ଲାପାଳ ଓ ଗ୍ରାମବାସୀଙ୍କ ଆଲୋଚନା ବିଫଳ ହୋଇଛି ।

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ୫ଟି ଗ୍ରାମ ପଞ୍ଚାୟତର ଅଧିବାସୀ ନିଷ୍ପତ୍ତି ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ପ୍ରଥମେ ତିଲେଇବଣୀ ବ୍ଲକ ଅନ୍ତର୍ଗତ ଝରାଗୋଗୁଆ, ପାରପୋଷୀ, ଡିମିରିକୁଦା ଓ ଗଣ୍ଡମ ଗ୍ରାମ ପଞ୍ଚାୟତ ଅଧିବାସୀ ମୋବାଇଲ ଟାୱାର ନଥିବା ଯୋଗୁଁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ ନିଷ୍ପତ୍ତି ନେଇଥିବା ବେଳେ ଏଥିରେ ଝାରମୁଣ୍ଡା ଗ୍ରାମ ପଞ୍ଚାୟତ ଅଧିବାସୀ ସାମିଲ ହୋଇଛନ୍ତି । ଗତ ଦୁଇ ବର୍ଷ ହେଲା ମୋବାଇଲ ବ୍ୟବହାର ମଣିଷ ଜୀବନରେ ଅତ୍ୟାବଶ୍ୟକ ହୋଇ ପଡିଥିବା ବେଳେ ମୋବାଇଲ ଟାୱାର ନଥିବା ଯୋଗୁଁ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀଙ୍କଠାରୁ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲାର ଅପହଞ୍ଚ ଇଲାକା ଭାବେ ପରିଚିତ ଲଇମୁରା ଅଞ୍ଚଳର ୫ଟି ଗ୍ରାମ ପଞ୍ଚାୟତ ଅଧିବାସୀଙ୍କ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଥିବା ବେଳେ ଏହା ବିଫଳ ହୋଇଛି ।

Spread the love