ପଞ୍ଚାୟତ ନିର୍ବାଚନ ପାଇଁ କମରକସା, ବିରୋଧୀ ଓ ଶାସକ ଦଳର ଘନ ଘନ ବୈଠକ, କର୍ମୀଙ୍କୁ ଦିଆଯାଉଛି ଗୁରୁ ମନ୍ତ୍ର

ଭୁବନେଶ୍ଵର ୨୩।୦୧: ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି କମରକସା । ଲୋକଙ୍କ ପାଖରେ ପହଁଚି ଭୋଟ ହାତେଇବାକୁ ଚାଲିଛି ରଣକୌଶଳ । ଉଭୟ ବିରୋଧୀ ଓ ଶାସକ ଦଳ  ଘନ ଘନ ବୈଠକ କରି କର୍ମୀଙ୍କୁ ମନ୍ତ୍ର ଦେଉଛନ୍ତି । ବିରୋଧୀଙ୍କ ଅପପ୍ରଚାରକୁ ଜବାବ ଦେବାକୁ  ଦଳୀୟ ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତିମାନଙ୍କୁ ମନ୍ତ୍ର  ଦେଇଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମିତି  ବିଜେପି କେନ୍ଦ୍ର ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଁଚାଇବାକୁ ରଣନୀତି କରିଥିବା ବେଳେ ଆଜି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ପିସିସି ବୈଠକରେ ପଞ୍ଚାୟତ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଅପପ୍ରଚାର ଓ  ପଲିଟିକ୍ସ । ପଞ୍ଚାୟତ ଗଡ଼ ଦଖଲ କରିବାକୁ ଏବେ ଏମିତି ମୁହାଁମୁହିଁ ହୋଇଛନ୍ତି ରାଜନୈତିକ ଦଳ। ବିରୋଧୀଙ୍କ ଅପପ୍ରଚାରର ମୁକାବିଲା  ଲାଗି ଦଳୀୟ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିରୋଧୀଙ୍କ ପ୍ରଚାରକୁ କାଉଣ୍ଟର କରିବା ଲାଗି ଅପପ୍ରଚାର ରୋକିବାକୁ ବିଜେଡି  ଷ୍ଟାଟେଜୀ ବି ପ୍ରସ୍ତୁତ କରିଛି। ଦଳୀୟ ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତିମାନଙ୍କୁ ଶନିବାର ନବୀନ ମନ୍ତ୍ର ଦେଇଛନ୍ତି । । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଭର୍ଚୁଆଲ୍ ବୈଠକରେ ଦଳର ପ୍ରାର୍ଥୀଙ୍କ ବିଜୟ ପାଇଁ କାମ କରିବାକୁ ନବୀନ ଆହ୍ବାନ ଦେଇଛନ୍ତି । ସେପଟେ ନବୀନଙ୍କ ଏଭଳି ଆହ୍ବାନକୁ କାଉଣ୍ଟର କରିଛି ବିଜେପି। କହିଛି ଯାହା ସତ ବିଜେପି ତାକୁ ଆଇନା ଦେଖାଉଛି। ତେଣୁ ସତ କହିଲେ ବିଜେଡିକୁ ଅପପ୍ରଚାର ଲାଗୁଛି। ହେଲେ ବିଜେପି ଏଥିରୁ କ୍ଷାନ୍ତ ହେବନି।

ବିଜେଡି ବିଜେପି ପ୍ରଚାର ଅପ୍ରଚାର ପ୍ରସଙ୍ଗରେ ମୁହାଁମୁହିଁ ହୋଇଥିବା ବେଳେ କଂଗ୍ରେସ ଦଳୀୟ କନ୍ଦଳରୁ ପଦାକୁ ଆସିପାରୁନି। ଦଳର ପ୍ରଭାରୀ ଚେଲ୍ଲା କୁମାର ଆଜି କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି କିପରି ଭୋଟରଙ୍କ ପାଖରେ ପହଁଚି ହେବ ସେନେଇ ଟିପ୍ସ ଦେଇଛନ୍ତି ।  ଓବିସି ଓ ଏସସି,  ଏସଟି ସଂରକ୍ଷଣ ପ୍ରସଙ୍ଗ ସାଙ୍ଗକୁ ଧାନର ଅଭାବୀ ବିକ୍ରୀ, ନାରୀ ନିର୍ଯାତନା, ଦୁର୍ନୀତି ଆଦିକୁ ପ୍ରସଙ୍ଗ କରି ଭୋଟ ହାତେଇବା ଲାଗି ବୈଠକରେ କଂଗ୍ରେସ ରଣନୀତି  କରିଛି । ସେପଟେ କିନ୍ତୁ ଦଳର ବରିଷ୍ଠ ନେତା ଭକ୍ତ ଦାସ କହୁଛନ୍ତି ଦଳରେ ସମନ୍ବୟର ଅଭାବ ରହିଛି। କଂଗ୍ରେସରେ ଯାହା ଚାଲିଛି ଠିକ୍ ଚାଲିନାହିଁ।

ପ୍ରାର୍ଥୀ ପତ୍ର ଦାଖଲ ପରେ ଯାଞ୍ଚ ସରିଛି । ୨୫ରେ ନୋମିନେସନ ପ୍ରତ୍ୟାହାର ପରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ତା ପୂର୍ବରୁ ଜମିଲାଣି ପ୍ରଚାର। ବେଳ ଦେଖି କୌଶଳ ପ୍ରୟୋଗ କରିବାକୁ ନେତାମାନେ ରଣନୀତି ପ୍ରସ୍ତୁତ ବି କରିସାରିଲେଣି। ମୈଦାନରେ ପ୍ରଚାର ଅପପ୍ରଚାର ଓ ପଲିଟିକ୍ସ ଜୋର ହେବାରେ ଲାଗିଛି।

Spread the love