ଗଣମାଧ୍ୟମରୁ ଭୋଟ୍‌ ରାଜନୀତି, ରାଜନୀତି ମଇଦାନରେ ୧୦ ସାମ୍ବାଦିକ

ଢେଙ୍କାନାଳ ୨୯।୦୧ : କଲମ ମୁନରେ ଲୋକଙ୍କ ସମସ୍ୟା ଉପସ୍ଥାପନ କରୁଥିଲେ । ଏବେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇ ସିଧାସଳଖ ଜନସେବା ପାଇଁ ଅଣ୍ଟା ଭିଡିଛନ୍ତି । ନିର୍ବାଚନ ମୈଦାନରେ ସାମ୍ବାଦିକ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ୨ ନଂ. ଜୋନ୍‌ରୁ ବିଜେଡି ପ୍ରାର୍ଥୀ ଭାବେ ସୁମନ୍ତ ଦେହୁରୀ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ସୁମନ୍ତ “ପ୍ରମେୟ’ ଖବରକାଗଜର ହିନ୍ଦୋଳ ବ୍ଲକ ପ୍ରତିନିଧି । ସେ ଜଣେ ସକ୍ରିୟ ବିଜେଡି କର୍ମୀ ଭାବେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା । ସୁମନ୍ତଙ୍କ ପତ୍ନୀ ଗତ ନିର୍ବାଚନରେ ନୂଆବଗ ପଞ୍ଚାୟତରୁ ସରପଞ୍ଚ ନିର୍ବାଚିତ ହୋଇଥିଲେ । ସୁମନ୍ତ ଏଥର ବିଜେଡି ଟିକେଟ୍‌ରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ସେହିପରି ହିନ୍ଦୋଳ ବ୍ଲକ “ସମ୍ବାଦ’ ପ୍ରତିନିଧି ବିଶେଶ୍ୱର ସେଠୀ ଲଗାତର ଭାବେ ପଞ୍ଚାୟତ ନିର୍ବାଚନ ଲଢ଼ି ଆସୁଛନ୍ତି । ଗତଥର ସେ କନ୍ତାମିଲା ପଞ୍ଚାୟତରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ଚଳିତଥର କନ୍ତାମିଲା ପଞ୍ଚାୟତଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିବାରୁ ତାଙ୍କ ପାଇଁ ଆଉ ସୁଯୋଗ ନଥିଲା । ଏଥର ସେ ଅଣସଂରକ୍ଷିତ ବାଉଁଶପୋଖରୀ ପଞ୍ଚାୟତରୁ ସମିତିସଭ୍ୟ ପଦବି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଢେଙ୍କାନାଳ ସଦର ବ୍ଲକ ଭାପୁର ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରାର୍ଥିନୀ ଭାବେ ଶଶିକଳା ସାହୁ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଶଶୀକଳା ହେଉଛନ୍ତି ଭାପୁର ଅଞ୍ଚଳର “ପ୍ରମେୟ’ ପ୍ରତିନିଧି ଅଶୋକ ସାହୁଙ୍କ ଧର୍ମପତ୍ନୀ । ଅଶୋକ ତୃଣମୂଳସ୍ତରରେ ଜଣେ ସକ୍ରିୟ କର୍ମୀ । ଭାପୁର ପଞ୍ଚାୟତ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହେବା ପରେ ସେ ନିରାଶ ହୋଇଥିବା ବେଳେ ତାଙ୍କ ପତ୍ନୀ ସରପଞ୍ଚ ପ୍ରାର୍ଥିନୀଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ଢେଙ୍କାନାଳ ସଦର ବ୍ଲକ ୩ନଂ. ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ “ଧରିତ୍ରୀ’ ଭାପୁର ଅଞ୍ଚଳର ପ୍ରତିନିଧି ରାଜକୁମାର ପ୍ରଧାନ ଆମ୍‌ ଆଦ୍‌ମୀ ପାର୍ଟି ଟିକେଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଓଡ଼ାପଡ଼ା ବ୍ଲକ “ସମୀକ୍ଷା’ ସାପ୍ତାହିକ ଖବରକାଗଜ ପ୍ରତିନିଧି ସଞ୍ଜୟ ବେହେରାଙ୍କ ପତ୍ନୀ ବବିଲତା ବେହେରା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ବବିଲତା ଓଡ଼ାପଡ଼ା ୧ନଂ. ଜୋନ୍‌ରୁ ବିଜେପି ଟିକେଟ୍‌ରେ ନିର୍ବାଚନ ଲଢୁଛନ୍ତି । କାମାକ୍ଷାନଗର ବ୍ଲକ “ପ୍ରଗତିବାଦୀ’ ପ୍ରତିନିଧି ପ୍ରଣବ ରଞ୍ଜନ ରାଉତ ବାଇସିଙ୍ଗା ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । କାମାକ୍ଷାନଗର “କନକ ଟିଭି’ ଓ “ସମ୍ବାଦ’ ପ୍ରତିନିଧି ରାକେଶ ଦେହୁରୀ ଚଳିତଥର ପ୍ରଥମ ଥର ନିମନ୍ତେ ପଞ୍ଚାୟତ ନିର୍ବାଚନରେ ପାଦ ଥାପିଛନ୍ତି । ସେ କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେହିପରି “ଦୁର୍ନୀତି’ ମାସିକ ଖବରକାଗଜର ସମ୍ପାଦକ ମେଘନାଦ ନନ୍ଦ ଢେଙ୍କାନାଳ ସଦର ୩ ନଂ. ଜୋନରୁ ଓଡ଼ିଶା ପ୍ରଗତି ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ୱେବ୍‌ ଚ୍ୟାନେଲ୍‌ର ଦୁଇ ମହିଳା ସାମ୍ବାଦିକା ପ୍ରୀତିମଞ୍ଜରୀ ମହାନ୍ତି ଓ ପୁଷ୍ପଲତା ସାମଲ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ପ୍ରୀତିମଞ୍ଜରୀ ସଦର ବ୍ଲକ ଶୁଆଖାଇକାଟେଣୀ ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଏବଂ ପୁଷ୍ପଲତା ଗଁଦିଆ ବ୍ଲକ ସନ୍ଥପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

Spread the love