ଭୋଟ୍‌ ପାଇଁ ଷ୍ଟାମ୍ପ୍‌ ପେପର୍‌ରେ ପ୍ରତିଶ୍ରୁତି, ଭୋଟ ବର୍ଜନରୁ ଓହରିଲେ କଣ୍ଟାବାଞ୍ଜି ଗ୍ରାମବାସୀ

କାଶୀପୁର: ଭୋଟ ପାଇଁ ପ୍ରାର୍ଥୀମାନେ ଭିନ୍ନଭିନ୍ନ କୌଶଳ ଆପଣାଉଥିବାବେଳେ ଏବେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଷ୍ଟାମ୍ପ୍‌ପେପର୍‌ରେ ପ୍ରତିଶ୍ରୁତି ଦିଆଯାଇଥିବା ଭଳି ଘଟଣା ବି ସାମ୍‌ନାକୁ ଆସିଛି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ର ଏହି ଘଟଣା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। କାଶୀପୁର ବ୍ଲକ୍‌ର କୋଡ଼ିପାରି ପଞ୍ଚାୟତ ଅନ୍ତର୍ଗତ କଣ୍ଟାବାଞ୍ଜି ଗାଁରେ ପ୍ରାୟ ୨୫ ପରିବାର ରହୁଛନ୍ତି। ଗାଁକୁ ଏପର୍ଯ୍ୟନ୍ତ ପକ୍କା ରାସ୍ତା ହୋଇପାରିଲା ନାହିଁ। ସେହିପରି ନଦୀରେ ପୋଲ ନିର୍ମାଣ ବି ହୋଇପାରୁନି। ଜନପ୍ରତିନିଧି ଏବଂ ପ୍ରଶାସନକୁ ଏ ନେଇ ବାରମ୍ବାର ଗ୍ରାମବାସୀ ଅବଗତ କରାଇଛନ୍ତି। ତଥାପି ଫଳ ଶୂନ। ତେଣୁ ନିର୍ବାଚନ ସମୟରେ ନେତାଙ୍କୁ ଠିକଣା ଜବାବ ଦେବାକୁ ନିଷ୍ପତ୍ତି ନେଇଥିଲେ ଗ୍ରାମବାସୀ। ଗାଁର ସମସ୍ୟାର ସମାଧାନ କରିବାକୁ ଅଡ଼ି ବସିଥିଲେ। ନଚେତ୍‌ ପୂରା ଗାଁ ଭୋଟ ବର୍ଜନ କରି ପ୍ରତିବାଦ ଜଣାଇବ ବୋଲି ଘୋଷଣା କଲେ। ଯଦି କୌଣସି ଦଳ କିମ୍ବା ପ୍ରାର୍ଥୀ ଲିଖିତ ଭାବେ ପ୍ରତିଶ୍ରୁତି ଦେବ ତେବେ ଯାଇ ସେମାନେ ଭୋଟ ଦେବେ। ଗ୍ରାମବାସୀଙ୍କ ଏଭଳି ଅଜବ ନିଷ୍ପତ୍ତି ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।

ଏହାପରେ ଗ୍ରାମବାସୀଙ୍କ ନିକଟରେ ପହଞ୍ଚି ଯାଇଥିଲେ କାଶୀପୁର (ଖ) ଜୋନ୍‌ ସ୍ବାଧୀନ ଜିଲ୍ଲା ପରିଷଦ ପ୍ରାର୍ଥିନୀ ରିଙ୍କି ନାଏକ। ଗ୍ରାମବାସୀଙ୍କୁ ବହୁ ସମୟ ଧରି ବୁଝାସୁଝା କରିଥିଲେ। ଶେଷରେ ଷ୍ଟାମ୍ପ ପେପର ଆଣି ଗ୍ରାମବାସୀଙ୍କ ସମସ୍ୟାର ସମାଧାନ କରିଦେବେ ବୋଲି ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି ସମ୍ପର୍କରେ ରିଙ୍କି କହିଛନ୍ତି, ନିର୍ବାଚନ ଜିବିତା ଏବଂ ହାରିବା ତାଙ୍କ ହାତରେ ନାହିଁ। ଭୋଟର ହିଁ ସେହି ନିଷ୍ପତ୍ତି ନେବେ। କିନ୍ତୁ ଗାଁ ସମସ୍ୟାର ସମାଧାନ ପାଇଁ ଆଇନର ଆଶ୍ରୟ ନେବେ। ଯଥା ସମ୍ଭବ ଗାଁର ଅବସ୍ଥାରେ ପରିବର୍ତ୍ତନ ପାଇଁ ପଦକ୍ଷେପ ନେବେ ବୋଲି ସେ କହିଥିଲେ। ଏହି ପ୍ରତିଶ୍ରୁତି ପରେ ଭୋଟ୍‌ ବର୍ଜନ ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଥିବା କହିଛନ୍ତି ଗ୍ରାମର କାଶୀନାଥ ମାଝୀ, ସୋମନାଥ ମାଝୀ, ଭାସ୍କର ମାଝୀ, ଭୀମସେନ ମାଝୀ ।

Spread the love