ପୌର ନିର୍ବାଚନ ନେଇ ଉଷ୍ମତା: କେବେ ହେବ ଜଣାନାହିଁ, ପ୍ରସ୍ତୁତି ଜୋର୍‌ ଧରିଲାଣି

ଭୁବନେଶ୍ବର : ରାଜ୍ୟରେ ପୌର ନିର୍ବାଚନ କେବେ ହେବ ତାହା ସ୍ଥିର ହୋଇନି। ଏପରିକି ପୌର ନିର୍ବାଚନରେ ସଂରକ୍ଷଣ ସମ୍ବନ୍ଧୀୟ ଦୁଇଟି ଆଇନରେ ଏପର୍ଯ୍ୟନ୍ତ ସଂଶୋଧନ ଅଣାଯାଇନି। ଏହାକୁ କ୍ୟାବିନେଟ୍‌ରେ ଅନୁମୋଦନ, ବିଧାନସଭାରେ ପାରିତ କରିବା ବାକି ଅଛି। ଏତିକିବେଳେ ନଗର ଉନ୍ନୟନ ବିଭାଗ ଓଡ଼ିଶା ମ୍ୟୁନିସପାଲ (ୱାର୍ଡ ପୁନର୍ଗଠନ, ଆସନ ସଂରକ୍ଷଣ ଏବଂ ନିର୍ବାଚନ ପରିଚାଳନା) ନିୟମ, ୧୯୯୪କୁ ସଂଶୋଧନ କରି ପ୍ରସ୍ତୁତ ହୋଇଥିବା ଚିଠା ନିୟମ ଉପରେ ସର୍ବସାଧାରଣଙ୍କ ମତାମତ ଲୋଡ଼ିଥିବାରୁ ପୌର ନିର୍ବାଚନ ତାତି ଉଷ୍ମ ହୋଇଛି।

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଜନିତ ସମସ୍ୟା ଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ଠିକ୍ ସମୟରେ କରିବେ ବୋଲି କହୁଛନ୍ତି। ହେଲେ ସେହି ସଂରକ୍ଷଣ ଜନିତ ସମସ୍ୟା ଥିବା ପୌର ନିର୍ବାଚନ ନେଇ ନା ସରକାର କିଛି ସ୍ପଷ୍ଟ କହୁଛନ୍ତି ନା ରାଜ୍ୟ ନିର୍ବାଚନ ଆୟୋଗ କିଛି ପ୍ରକ୍ରିୟା ଆରମ୍ଭ କରୁଛନ୍ତି। ପୌର ନିର୍ବାଚନ କେବେ ହେବ ସେନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ରାଜନୈତିକ ଦଳଗୁଡ଼ିକ କିନ୍ତୁ ଏନେଇ ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ହଠାତ୍ ପୌର ନିର୍ବାଚନ ନେଇ ଯଦି ରାଜ୍ୟ ସରକାର ଘୋଷଣା କରନ୍ତି ତେବେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ତିନି ପ୍ରମୁଖ ରାଜନୈତିକ ଦଳ ସଜବାଜ ଆରମ୍ଭ କରିଛନ୍ତି।

ପୌର ନିର୍ବାଚନ ପ୍ରଚାରରେ ଯେପରି ବିଜେଡି ଚାରିଆଡ଼େ ଛାଇ ଯିବ ସେନେଇ ଦଳ ଓ ସରକାରଙ୍କ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ହୋଇଛି। ସବୁ ଏନ୍‌ଏସି, ମ୍ୟୁନିସପାଲଟି, ମହାନଗର ନିଗମରେ ସରକାରଙ୍କ ପକ୍ଷରୁ ହେଉଥିବା ଉନ୍ନତିମୂଳକ କାର୍ଯ୍ୟକୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଜରିଆରେ କରିବାକୁ ପୌର ସଂସ୍ଥା ନିର୍ବାହୀ ଅଧିକାରୀ, ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ କୁହାଯାଇଛି। ଏପରିକି ଜଳ ସାଥୀ ଏବଂ ମୋ ଖତ ଯୋଜନାରେ ସାମିଲ୍‌ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି। ଏସ୍‌ଏଚ୍‌ଜିଗୁଡ଼ିକୁ ବିଭିନ୍ନ ଉପାୟରେ ସ୍ବାବଲମ୍ବୀ କରାଯାଇଛି।

ନିକଟରେ ୧୧୪ଟି ପୌରାଞ୍ଚଳରେ ୮୯ଟି ସ୍ଥାନରେ ବିଜୁ ପଟ୍ଟନାୟକ ଖେଳ ଭବନ ନିର୍ମାଣ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାଦ୍ବାରା ଯୁବପିଢ଼ିଙ୍କୁ ଆକର୍ଷିତ କରାଯିବ। ଏସବୁ ବାଦ୍ ସାରା ରାଜ୍ୟରେ ବିଭିନ୍ନ ସହରାଞ୍ଚଳରେ ସମସ୍ତ ଗଳି କନ୍ଦି, ଛକ, ବ୍ରିଜ୍ ଆଦିର ନାମକୁ ସ୍ପଷ୍ଟ ଭାବେ ଲେଖାଯିବ। ଏନେଇ ପୂର୍ତ୍ତ ବିଭାଗକୁ ଦାୟିତ୍ବ ଦିଆଯାଇଛି। ପୂର୍ବରୁ ଲାଗିଥିବା ‌ସାଇନ୍‌ବୋର୍ଡ ବଦଳରେ ବଡ଼ ବୋର୍ଡରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ଉକ୍ତ ଛକ, ଅଞ୍ଚଳ ଆଦିର ନାମ ଲେଖାଯିବ। ପ୍ରତି ଡିଭିଜନରେ ଏବେ ୩୦ଟି ଲେଖାଏଁ ଏହିଭଳି ବୋର୍ଡ ଲଗାଇବାକୁ କୁହାଯାଇଛି। ସେହିପରି ନଗର ଉନ୍ନୟନ ବିଭାଗ ପକ୍ଷରୁ ସବୁ ସହରାଞ୍ଚଳରେ ୱାଟର କିଓସ୍କ ନିର୍ମାଣ କରାଯିବ। ଏହା ଉପରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ହୋର୍ଡିଂ ଲାଗିବ ବୋଲି ନିଷ୍ପତ୍ତି ହୋଇଛି। ସହରାଞ୍ଚଳରେ ସବୁ ଘରକୁ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାରୁ ପୌର ନିର୍ବାଚନକୁ ଆଖି ଆଗରେ ରଖି ଏହାକୁ ଏବେ ତ୍ବରାନ୍ବିତ କରାଯାଇଛି।

ବିଜେଡି ପକ୍ଷରୁ ନିର୍ବାଚନ ପାଇଁ ସବୁ ପ୍ରକାରର ପ୍ରସ୍ତୁତି ହୋଇଥିଲେ ହେଁ ସବୁ ଆସନରେ ବହୁ ଆଶାୟୀ ଥିବାରୁ ଏବେ କାହାକୁ ନିର୍ଦ୍ଦିଷ୍ଟ ଭାବେ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କୁହାଯାଉନି।

‌ଅପରପକ୍ଷେ ବିଜେପି ଯଥାସମ୍ଭବ ଶୀଘ୍ର ପୌର ନିର୍ବାଚନ କରିବାକୁ ଦାବି କରିଚାଲିଛି। ଏପରିକି ଏନେଇ ରାଜ୍ୟପାଳ, ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଦାବି ପତ୍ର ଦେବା ସହ ହାଇକୋର୍ଟରେ ଏକାଧିକ ମାମଲା ଦାୟର କରିଛି। ଆଇନଗତ ପ୍ରକ୍ରିୟାରେ ଯାଇ ବିଜେପି ପୌର ନିର୍ବାଚନ ନେଇ ଏକ ସ୍ପଷ୍ଟ ଚିତ୍ର ଆଣିବାକୁ ଚାହୁଁଛି। ଏହାସହ ସବୁ ପୌରାଞ୍ଚଳରେ ଯେପରି ସଂଗଠନ ସୁଦୃଢ ହେବ, ଏବେଠୁ ପ୍ରାର୍ଥୀଙ୍କୁ ପ୍ରସ୍ତୁତ କରାଯିବ ସେଥିପାଇଁ ରାଜ୍ୟ ପୌର ନିର୍ବାଚନ କମିଟି ଗଠନ କରି ଦଳର ବରିଷ୍ଠ ନେତାମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ବ ଦେଇଛି। ସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇ ସରକାରଙ୍କୁ ଘେରିଛି। ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଲୋଚନକୁ ଆଣିବାକୁ ବିଜେପି ଜୋରଦାର ଉଦ୍ୟମ ଜାରି ରଖିଛି।

ସେହିପରି କଂଗ୍ରେସ ମଧ୍ୟ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି। ଏବେ ବିଭିନ୍ନ ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉଭୟ ବିଜେଡି ଓ ବିଜେପି ଶାସିତ ‌ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅପାରଗତାକୁ ଲୋକଙ୍କ ସମ୍ମୁଖରେ ଉପସ୍ଥାପନ କରୁଛି।

Spread the love