ନିର୍ଵାଚନ ଲଢ଼ିବେନି ନିରଞ୍ଜନ ଓ ଧର୍ମେନ୍ଦ୍ର…!

2019 ସାଧାରଣ ନିର୍ବାଚନ ପାଖେଇ ଆସୁଛି I ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଓଡିଶା ରାଜନୀତି ସେତିକି ରୋଚକ ମୋଡ ନେଉଛି I ସବୁ ଦଳରେ ଚାଲିଛି 19 ପାଇଁ ଟିକେଟ କସରତ I ନିର୍ବଚନୀ ମଣ୍ଡଳୀରେ ଚତୁର ରାଜନୈତିକ ଗୋଟି ଚାଲାଣ କରି ଗଡ଼ ଦଖଲ କରିବା ପାଇଁ ସବୁ ଦଳର ମଙ୍ଗୁଆଳ ମାନେ ଲାଗି ପଡିଛନ୍ତି I ଦଳକୁ କ୍ଷମତାକୁ ଆଣିବା ପାଇଁ ଓ ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ବିରୋଧୀ ଦଳର ଦୁଇ ଦଳପତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ନେତୃତ୍ୱ ନେଇଛନ୍ତି। ହେଲେ ଏହି ଦୁଇଜଣ  ନିର୍ବାଚନ ଲଢ଼ିବେ ନାହିଁ ବୋଲି ଏବେଠାରୁ ଜୋରଦାର ଚର୍ଚା ହେଉଛି I

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଦଳର ହେବିୱେଟ ନେତାମାନେ ସଂକେତ ଦେଲେଣି I ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀ ପତି କହିଛନ୍ତି ଯେ, ପିସିସି ସଭାପତିଙ୍କ ନାଁ କଂଗ୍ରେସ ପ୍ରାଥୀ ତାଲିକାରେ ନାହିଁ କି, ସେ ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି I ଯେହେତୁ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବାଲେଶ୍ୱରରୁ ସାଂସଦ ପ୍ରାଥୀ ହେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ,ସେଥିପାଇଁ ପିସିସି ସଭାପତି ନିର୍ଵାଚନ ଲଢ଼ିବେ ନାହିଁ I କାରଣ କଂଗ୍ରେସର ନୀତି ହେଉଛି ଗୋଟିଏ ପରିବାର ଗୋଟିଏ ଟିକେଟ I

ସେପଟେ ଓଡ଼ିଶାରେ ମିଶନ 120 ପ୍ଲସକୁ ସଫଳ କରିବା ପାଇଁ ଗୁରୁଦାଇତ୍ୱ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ I ଏଥିଲାଗି ଦିନରାତି ଏକ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳର ସଂଗଠନକୁ ମଜଭୁତ କରିବାସହ ଦଳୀୟ ପ୍ରାଥୀଙ୍କୁ ଜିତିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି I ଖାସ ସେଥିଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ନ ଲଢ଼ିବାପାଇଁ ସ୍ଥିର କରିଥିବା ବିଜେପି ମହଲରେ ଚର୍ଚା ହେଉଛି I ହେଲେ ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କି କୌଣସି ବିଜେପି ନେତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ I

Spread the love