ପିପିଲିରେ ନିର୍ବାଚନୀ ପରବର୍ତ୍ତୀ ହିଂସା : ଦୁଇ ଦଳର କର୍ମୀ ମୁହାଁମୁହିଁ, ଜଣେ ଗୁରୁତର

ବଳଙ୍ଗା ୦୪/୧୦: ସରିଛି ପିପିଲି ନିର୍ବାଚନ ଭୋଟ ଗଣତି । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ୨୦ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ତେବେ ଫଳାଫଳ ଘୋଷଣା ପରେ ରବିବାର ସନ୍ଧ୍ୟାରେ ବଳଙ୍ଗା ଥାନା ଅନ୍ତର୍ଗତ କମାକନ୍ତିଆ ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ଏହି ହିଂସାକାଣ୍ଡରେ ଜଣେ ଗୁରୁତର ଆହତ ହୋଇ ପିପିଲି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୨ଟି ବାଇକ୍‌ ଭାଙ୍ଗିଛି । ଏନେଇ ବଳଙ୍ଗା ଥାନାରେ ଉଭୟ ପକ୍ଷରୁ ଅଭିଯୋଗ କରାଯାଇଥିବାବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଚନ୍ଦ୍ରାଦେଇପୁର ଗ୍ରାମର ନରହରୀ ସେଠୀ (୬୪) ବଳଙ୍ଗା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ସନ୍ଧ୍ୟା ୭ଟା ସମୟରେ ସେ ତାଙ୍କ ଗ୍ରାମର ପ୍ରମୋଦ ପ୍ରଧାନଙ୍କ ସହ ୨ଟି ବାଇକ୍‌ ଯୋଗେ ପିପିଲିରୁ ଘରକୁ ଫେରୁଥିଲେ । ହଠାତ୍‌ କମାକନ୍ତିଆ ଠାରେ ବିଜେପି ବିଧାୟକ ପାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଘର ବାରିପଟୁ ଏହି ଥାନା ଅନ୍ତର୍ଗତ ବିରାଟ ସାହିର ସନ୍ତୋଷ ବିଶ୍ୱାଳ, ଜୋପନ ଗ୍ରାମର ରାଜକିଶୋର ମହାରଣା, ଅଲାରପୁର ଗ୍ରାମର ଅଶ୍ୱିନୀ କୁମାର ସାହୁ ହାତରେ ଲୁହାରଡ୍‌ ଓ ଖଣ୍ଡା ଧରି ନରେନ୍ଦ୍ର ଏବଂ ପ୍ରମୋଦଙ୍କୁ ଆକ୍ରମଣ କରିଥିଲେ । ଏହାସହ ନରେନ୍ଦ୍ରଙ୍କ ବାଇକ (ଓଡି୩୩ୟାଇ-୧୧୧୨) ଓ ପ୍ରମୋଦଙ୍କ ବାଇକ(ଓଡି୧୩ବି-୫୨୨୧)କୁ ଭାଙ୍ଗି ଦେଇଥିଲେ । ଦୁର୍ବୃତ୍ତମାନେ ନରେନ୍ଦ୍ରଙ୍କ ପାଖରେ ଥିବା ୫ହଜାର ଟଙ୍କାକୁ ମଧ୍ୟ ଲୁଟି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଆକ୍ରମଣରେ ନରେନ୍ଦ୍ର ସାମାନ୍ୟ ଆହତ ହୋଇଥିଲାବେଳେ ପ୍ରମୋଦଙ୍କ ମୁଣ୍ଡ, ହାତରେ ଗୁରୁତର ଆଘାତ ଲାଗିଛି । ଆକ୍ରମଣକାରୀ ମାନେ ବିଭିନ୍ନ ପ୍ରକାର ଧମକ ଚମକ ଦେଇ ପୁନର୍ବାର ଆଶ୍ରିତଙ୍କ ବାଡିକୁ ଚାଲିଯିବା ପରେ ପଛରେ ଆସୁଥିବା କିଛି ଲୋକ ନରେନ୍ଦ୍ର ଓ ପ୍ରମୋଦଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନରେ ଭର୍ତ୍ତି କରିଥିଲେ ।

ସେହିଭଳି କମାକନ୍ତିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ବଳଙ୍ଗା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ସନ୍ଧ୍ୟାରେ ସେ ଆଶ୍ରିତଙ୍କ ଘରକୁ ଯାଉଥିବା ସମୟରେ ଗେଟ ସାମ୍ନାରେ ନରେନ୍ଦ୍ର, ନରେନ୍ଦ୍ର ସ୍ୱାଇଁ, ପ୍ରମୋଦ, ଟୁଟୁ ସ୍ୱାଇଁ, ଲିପୁ ସ୍ୱାଇଁ, ଆଦିତ୍ୟ ପ୍ରସାଦ ଭୋଳ ପ୍ରମୁଖ ୩ଟି ବାଇକରେ ଆସି ହଠାତ ପୂର୍ଣ୍ଣଚନ୍ଦ୍ରଙ୍କୁ ନିର୍ବାଚିତ ଫଳାଫଳକୁ ନେଇ ଅଶ୍ଳୀଳ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରି ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ସେ ପିନ୍ଧିଥିବା ଏକ ସୁନା ଚେନକୁ ମଧ୍ୟ ଲୁଟି ନେଇଥିଲେ । ଗଲାବେଳେ ଆଗାମୀ ୧୫ଦିନ ମଧ୍ୟରେ ବମ୍‌ ପକାଇ ଆଶ୍ରିତଙ୍କୁ ହତ୍ୟା କରିଦେବୁ ବୋଲି ଧମକ ଦେଇ ଚାଲିଯାଇଥିଲେ ବୋଲି ପୂର୍ଣ୍ଣଚନ୍ଦ୍ର ଅଭିଯୋଗରେ ଦର୍ଶାଇଛନ୍ତି । ଏନେଇ ବଳଙ୍ଗା ଥାନାରେ ୨ଟି ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ରଶ୍ମିରଞ୍ଜନ ପୃଷ୍ଟି କହିଛନ୍ତି ।

Spread the love