ବାରବାଟୀ-କଟକ ଆସନ ନିର୍ବାଚନୀ ମାମଲାରେ ତୃତୀୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ

କଟକ: ବାରବାଟୀ-କଟକ ଆସନ ନିର୍ବାଚନୀ ମାମଲାରେ ତୃତୀୟ ସାକ୍ଷୀ ତଥା ୨୦୧୯ରେ ବାରବାଟୀ-କଟକ ବିଧାନସଭା ଆସନ ନିର୍ବାଚନର ରିଟର୍ଣ୍ଣିଂ ଅଫିସର୍‌ ଥିବା ସୁକାନ୍ତ କୁମାର ପ୍ରଧାନଙ୍କ ହାଇକୋର୍ଟରେ ସାକ୍ଷ୍ୟ ଗ୍ରହଣ ହୋଇଛି। ଜଷ୍ଟିସ୍‌ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଶ୍ରୀ ପ୍ରଧାନ ହାଜର ହୋଇଥିଲେ। ଶ୍ରୀ ପ୍ରଧାନଙ୍କୁ ମାମଲାର ପ୍ରତିପକ୍ଷ ବିଧାୟକ ମହମ୍ମଦ ମୋକିମଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ଜେରା କରିଥିଲେ। ଆଜି ଜେରା ଅସମ୍ପୂର୍ଣ୍ଣ ରହିଥିଲା। ଜୁନ୍ ୨୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯିବା ସହିତ ଶ୍ରୀ ପ୍ରଧାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୩, ଏପ୍ରିଲ ୧୨ରେ ନିର୍ବାଚନ ମୋକଦ୍ଦମାର ଆବେଦନକାରୀ ତଥା ପରାଜିତ ପ୍ରାର୍ଥୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଓ ଏପ୍ରିଲ ୨୬ରେ ଦ୍ବତୀୟ ସାକ୍ଷୀ ଦୀପଙ୍କର ଆଚାର୍ଯ୍ୟଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିଲା।

ଶ୍ରୀ ସାମନ୍ତରାୟଙ୍କ ଅନ୍ତରୀଣ ଆବେଦନର ହାଇକୋର୍ଟ ଶୁଣାଣି କରି ତତ୍କାଳୀନ ରିଟର୍ଣ୍ଣିଂ ଅଫିସରଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏପ୍ରିଲ ୧୮ରେ ତତ୍କାଳୀନ ରିଟର୍ଣ୍ଣିଂ ଅଫିସର ତଥା ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟରତ ଶ୍ରୀ ପ୍ରଧାନଙ୍କୁ ସାକ୍ଷ୍ୟ ପ୍ରଦାନ ପାଇଁ ହାଇକୋର୍ଟ ସମନ୍ ଜାରି କରିଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ବାରବାଟୀ-କଟକ ବିଧାୟକ ଭାବେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଚାଲେଞ୍ଜ କରି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏହି ମାମଲା ରୁଜୁ କରିଛନ୍ତି। ଆବେଦନକାରୀ ‌ଶ୍ରୀ ସାମନ୍ତରାୟଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ, ଆଇନଜୀବୀ ଗୋପଳ ଅଗ୍ରୱାଲ, ସିଦ୍ଧାର୍ଥ ଦାସ, ଶ୍ରୀ ମୋକିମଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ଓ ଆଇନଜୀବୀ ତରଣୀକାନ୍ତ ବିଶ୍ବାଳ ମାମଲା ପରିଚାଳନା କରୁଛନ୍ତି।

Spread the love